ଦେଶର ୩୯୯ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ, ଓଡ଼ିଶାରେ ସର୍ବାଧିକ ୧୦୭ଟି

ଭୁବନେଶ୍ବର: ମୟୂରଭଞ୍ଜର ବାରିପଦା ସର୍କଲରୁ ଆରମ୍ଭ କରି ମାଲକାନଗିରିର ଏମ୍‌ଭି-୧୭ ପର୍ଯ୍ୟନ୍ତ, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଏବେ ଭୟଙ୍କର ରୂପ ନେଲାଣି। ନୟାଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡିରେ ସ୍ଥିତି ସାଂଘାତିକ। ଖରା ବଢ଼ିବା ସହ ଏ ଜଙ୍ଗଲ ନିଆଁ ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି, ଏହିସବୁ ବନାଗ୍ନି ପାଇଁ ପାହାଡ଼ିଆ ଓ ଜଙ୍ଗଲ ନିକଟରେ ରହୁଥିବା ଲୋକେ ନିଆଁ ଝାସରେ ସିଝୁଥିଲେ ମଧ୍ୟ ବନ ବିଭାଗ ବାବୁମାନଙ୍କ ଏଥିପ୍ରତି ଟିକିଏ ହେଲେ ନିଘା ନାହିଁ। ନିଆଁ ଲିଭାଇବାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି ବୋଲି ଅଧିକାରୀମାନେ କହି ବୁଲୁଛନ୍ତି। ମାତ୍ର ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ସେ ଦିଗରେ କେହି ବି ଗୁରୁତ୍ବ ଦେଉନାହାନ୍ତି। ନା ବିଭାଗୀୟ ମନ୍ତ୍ରୀଙ୍କର ଏଥିପ୍ରତି ଚିନ୍ତା ଅଛି ନା ସଚିବ ତନାଘନା କରୁଛନ୍ତି। ଯେଉଁଥିପାଇଁ ନିଆଁ ଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଉଛି।

ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଇ) ଦେଇଥିବା ରିପୋର୍ଟରେ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଦେଶର ୩୯୯ଟି ସ୍ଥାନରେ ବଡ଼ଧରଣର ନିଆଁ ଲାଗିଛି। ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୦୭ଟି ସ୍ଥାନ ଚିହ୍ନଟ ହୋଇଛି। ଗୋଟିଏ ପଟେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ଡିଗ୍ରି ପାଖାପାଖି ପହଞ୍ଚିଥିବା ବେଳେ ଅନ୍ୟପଟେ ବନାଗ୍ନି ବଢ଼ିବା ବନ୍ୟଜନ୍ତୁଙ୍କ ଲାଗି ବିପଦ ସୃଷ୍ଟି କରିଛି। ଯଦି ଏଭଳି ଚାଲେ, ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।

ଯଦି ନଭେମ୍ବରରୁ ଏବେ ସୁଦ୍ଧା ଘଟିଥିବା ବଡ଼ଧରଣର ବନାଗ୍ନି କଥା ଦେଖିବା, ତେବେ ଦେଶର ‌ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୫୪୭ଟି ବନାଗ୍ନି ଲାଗିଥିବା ବେଳେ କର୍ଣ୍ଣାଟକରେ ୪୨୨, ଓଡ଼ିଶାରେ ୩୩୬, ତେଲେଙ୍ଗାନାରେ ୩୨୧ ଓ ମଧ୍ୟପ୍ରଦେଶରେ ୨୮୮ଟି ଲାଗିଛି। ମାତ୍ର, ଗତ ୭ ଦିନ ମଧ୍ୟରେ ଓଡ଼ିଶାରେ ଜଙ୍ଗଲ ନିଆଁ ବଢ଼ି ଚାଲିଛି। ଫେବ୍ରୁଆରି ୨୩ରୁ ଆଜି ସୁଦ୍ଧା ରାଜ୍ୟର ୨୩୩ଟି ସ୍ଥାନରେ ବଡ଼ ନିଆଁ ଚିହ୍ନଟ ହୋଇଛି, ଯାହାକି ଦେଶରେ ଦ୍ବିତୀୟ। ଏହି ସମୟ ମଧ୍ୟରେ କେବଳ ଆନ୍ଧ୍ରପ୍ରଦେଶରେ ୩୩୪(ଓଡ଼ିଶାଠାରୁ ଅଧିକ) ରହିଛି। କୋରାପୁଟ ସର୍କଲର ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଭବାନୀପାଟଣା ସର୍କଲର ନୂଆପଡ଼ା, କଳାହାଣ୍ଡି, ସୋନପୁର, ବ୍ରହ୍ମପୁର ସର୍କଲର ଗଜପତି, ‌କନ୍ଧମାଳ, ଗଞ୍ଜାମ, ଭୁବନେଶ୍ବର ସର୍କଲର ଖୋର୍ଧା, ନୟାଗଡ଼, ରାଉରକେଲା ସର୍କଲର ସୁନ୍ଦରଗଡ଼, କେନ୍ଦୁଝର, ବାରିପଦା ସର୍କଲର କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ସର୍କଲର ବରଗଡ଼ ଜିଲ୍ଲାର ଏକାଧିକ ଜଙ୍ଗଲରେ ନିଆଁ ଲାଗିଥିବା ଚିତ୍ର ସାମ୍ନାକୁ ଆସିଛି। ‌ସେପଟେ ଛୋଟ ଛୋଟ ବନାଗ୍ନି ବି ଦେଖିବାକୁ ମିଳିଛି। ଶିମିଳିପାଳ ସମେତ ରାଜ୍ୟର ପ୍ରମୁଖ ଜଙ୍ଗଲ‌, ଅଭୟାରଣ୍ୟରେ ଜଙ୍ଗଲ ନିଆଁ ଲାଗିଛି। ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ୯୧୦ ସ୍ଥାନରେ ଜଙ୍ଗଲ ନିଆଁ ଏଫ୍‌ଏସ୍‌ଇର ଦୃଷ୍ଟିଗୋଚର ହୋଇଛି। ନଭେମ୍ବରରୁ ଏପର୍ଯ୍ୟନ୍ତ ୫ ହଜାର ୩୮୮ ସ୍ଥାନରେ ନିଆଁ ଲାଗିଥିବା ବେଳେ ଗତ ୭ ଦିନ ମଧ୍ୟରେ ୨ହଜାର ୨୬୨ ସ୍ଥାନରେ ନିଆଁ ଲାଗିଛି।

ଅନ୍ୟପକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ କହିଛନ୍ତି ଯେ ଶିମିଳିପାଳ, ବାଲିଗୁଡ଼ା, ବୌଦ୍ଧ, ସୁନ୍ଦରଗଡ଼, ଫୁଲବାଣୀ, କୋରାପୁଟ ସମେତ ରାଜ୍ୟର ବିଭିନ୍ନ ବନଖଣ୍ଡରେ ବନାଗ୍ନି ରୋକିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବନାଗ୍ନି ପରିଚାଳନା ଯୋଜନା କରାଯାଇଛି। ଏହି ଯୋଜନାରେ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ସାମିଲ କରାଯାଇ ଲୋକଙ୍କ ପ୍ରତ୍ୟକ୍ଷ ସହଭାଗିତାରେ ବନାଗ୍ନି ‌ରୋକିବାକୁ ଯୋଜନା ପ୍ରସ୍ତୁତ ହେଉଛି। ବନାଗ୍ନି ପରିଚାଳନା ମାର୍ଗଦର୍ଶିକା ୨୦୨୨ ପ୍ରସ୍ତୁତ କରାଯାଇ ବନ ବିଭାଗର ବ୍ଲକସ୍ତର ପର୍ଯ୍ୟନ୍ତ ବଣ୍ଟନ ହୋଇଛି। ବନ ବିଭାଗ ମୁଖ୍ୟ କାର୍ଯ୍ୟାଳୟର ଜିଓଗ୍ରାଫିକ୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ(ଜିଆଇଏସ୍‌) ଉପବିଭାଗ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଓଡ଼ିଶା ଫରେଷ୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ଅଧୀନରେ ଜଙ୍ଗଲ ନିଆଁ ପରିଚାଳନା ବ୍ୟବସ୍ଥା କରାଯାଇ ଜଙ୍ଗଲ ନିଆଁକୁ ରୋକା ଯାଉଛି।

Related Articles

Back to top button