ଖୁବଶୀଘ୍ର ବଜାରରେ ମିଳିବ ଇନଷ୍ଟାଣ୍ଟ କୋରାପୁଟ କଫି

ଭୁବନେଶ୍ୱର: ଖୁବଶୀଘ୍ର ବଜାରରେ ମିଳିବ ଇନଷ୍ଟାଣ୍ଟ କୋରାପୁଟ କଫି । ଏଥିପାଇଁ ହାଇଦ୍ରାବାଦର ଟାଟା ଟୁପରାନ କମ୍ପାନୀରେ ଟେଷ୍ଟିଂ ଚାଲିଥିବା ବେଳେ ଏହା ସଫଳ ହେଲେ ଟାଟା ସହଭାଗିତାରେ ଏହି ଫ୍ଲେଭର ବଜାର ପ୍ରବେଶ କରିବ । ବର୍ତ୍ତମାନ ମିଳୁଥିବା କଫିକୁ ଜଣେ ପାଣିରେ ଛାଣିଲା ପରେ କ୍ଷୀରରେ ମିଶାଇ ପିଇପାରୁଛି । ମାତ୍ର ଏହି ଇନଷ୍ଟାଣ୍ଟ କୋରାପୁଟ କଫିକୁ ଜଣେ କ୍ଷୀରରେ ମିଶାଇ ସିଧାସଳଖ ପିଇ ପାରିବ । ଏ ବାବଦରେ ଟ୍ରାଇବାଲ ଡେଭଲମେଣ୍ଟ କୋ-ଅପରେଟିଭ୍ କର୍ପୋରେସନ (ଟିଡିସିସି) ପକ୍ଷରୁ ସୂଚନା ଦିଆଯାଇଛି ।

କଫି ଏକ ଲାଭଜନକ ଓ ଦୀର୍ଘସ୍ଥାୟୀ ଫସଲ । ଏହାକୁ ଥରେ ଚାଷ କଲେ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଏଥିରୁ ଫାଇଦା ମିଳିଥାଏ । ସେଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ ୫ ହଜାର ହେକ୍ଟର ଜମିରେ ନୂଆ କଫି ଚାରା ଲଗାଇଛନ୍ତି । ଗତ ୨୦୨୦ ମସିହାରେ କୋରାପୁଟର ନନ୍ଦପୁର, ଲମତାପୁଟ, ଦଶମନ୍ତପୁର, ସେମିଳିଗୁଡ଼ା ଓ ପଟାଙ୍ଗି ଅଞ୍ଚଳର ଚାଷୀଙ୍କଠାରୁ ଟିଡିସିସି କଫି କିଣିଥିଲା । ବର୍ତ୍ତମାନ କୋରାପୁଟ କଫିର ୫ଟି ଫ୍ଲେଭର ବଜାରରେ ମିଳୁଛି । ନିଜସ୍ୱ ସ୍ୱାଦ ଓ ବାସ୍ନା ପାଇଁ ଏହା ବେଶ୍ ସୁନାମ ଅର୍ଜନ କରିଛି । ଟିଡିସିସି ସହାୟତାରେ ଘରୋଇ ଚାହିଦା ପୂରଣ ହେବା ପରେ ଏହାକୁ ଆକର୍ଷଣୀୟ ଭାବେ ପ୍ୟାକିଂ କରି ବିଶ୍ୱ ବଜାରକୁ ଛାଡ଼ିବାକୁ ଯୋଜନା ରହିଛି ।

Related Articles

Back to top button