ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ପରିସ୍ରା କଲେ ନିଶାସକ୍ତ ଯାତ୍ରୀ
ନୂଆଦିଲ୍ଲୀ: ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ‘ଆମେରିକାନ୍ ଏୟାର୍ଲାଇନ୍ସ୍’ର ବିମାନରେ ଜଣେ ନିଶାସକ୍ତ ବ୍ୟକ୍ତି ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି ବୋଲି ‘ପିଟିଆଇ’ ରିପୋର୍ଟ କରିଛି। ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ବିମାନ ଅବତରଣ କରିବା ପରେ ଅଭିଯୁକ୍ତଙ୍କୁ ହାଜତକୁ ନିଆଯାଇଛି।
ସୂଚନା ଅନୁସାରେ, ଶୁକ୍ରବାର ରାତି ୯.୧୬ରେ ନ୍ୟୁୟର୍କରୁ ଉଡ଼ାଣ ଆରମ୍ଭ କରିଥିବା ‘ଆମେରିକାନ୍ ଏୟାର୍ଲାଇନ୍ସ୍’ର ଏଏ୨୯୨ ବିମାନ ୧୪ ଘଣ୍ଟା ୨୬ ମିନିଟ୍ ପରେ ଅର୍ଥାତ୍ ଶନିବାର ରାତି ୧୦.୧୨ରେ ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କରିଥିଲା।
ଅଭିଯୁକ୍ତ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଏକ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ସେ ପରିସ୍ରା କରିପକାଇଥିଲେ। ତାଙ୍କ ପରିସ୍ରା ଗଡ଼ି ଆସି ଜଣେ ସହଯାତ୍ରୀଙ୍କ ଉପରେ ପଡ଼ିବାରୁ ସେ କ୍ରୁ’ଙ୍କ ନିକଟରେ ଅଭିଯୋଗ କରିଥିଲେ।
ତା’ପରେ ଛାତ୍ରଜଣକ କ୍ଷମାଭିକ୍ଷା କରିଥିଲେ। ଅଭିଯୋଗକାରୀ ମଧ୍ୟ ଏହି ଘଟଣା ସଂକ୍ରାନ୍ତରେ ରିପୋର୍ଟ କରିବାକୁ ଆଗ୍ରହୀ ନ ଥିଲେ। କିନ୍ତୁ, କ୍ରୁ’ମାନେ ଏ କଥା ପାଇଲଟ୍ଙ୍କୁ କହିଦେଇଥିଲେ। ପାଇଲଟ୍ ଏ ବିଷୟରେ ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ର ‘ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍’ଙ୍କୁ ଅବଗତ କରାଇଥିଲେ।
‘ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍’ ‘ସିଆଇଏସ୍ଏଫ୍’ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇବାରୁ ସେମାନେ ଅଭିଯୁକ୍ତ ଯାତ୍ରୀଙ୍କୁ ଧରି ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛନ୍ତି।