ଯାଜପୁର ଗୋଲାଗାଁରେ କିଡ୍‌ନି ରୋଗରେ ଆକ୍ରାନ୍ତ ଗ୍ରାମବାସୀଙ୍କୁ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ : ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଗୋଲାଗାଁରେ ଦୂଷିତ ପାନୀୟ ଜଳ ପିଇ ଶତାଧିକ ଗ୍ରାମବାସୀ କିଡ୍‌ନି ରୋଗରେ ଆକ୍ରାନ୍ତ ହେବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୋଲାଗାଁରେ ଦୁଇରୁ ତିନିଶହ ଲୋକ କିଡ୍‌ନି ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହେବା ଅଭିଯୋଗର ତଦନ୍ତ ପାଇଁ ଯାଜପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଡିଏମ୍‌ଓ ଏହି ଘଟଣାର ତଦନ୍ତ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ। ଏଥି ସହିତ ସିଡିଏମ୍‌ଓ ତୁରନ୍ତ ଏକ ଦଳ ଗଠନ କରି ଗୋଲାଗାଁକୁ ପଠାଇବେ। ଏହି ଦଳ ଗୋଲାଗାଁକୁ ଯାଇ କିଡ୍‌ନି ରୋଗରେ ଆକ୍ରାନ୍ତ ଗ୍ରାମବାସୀଙ୍କୁ ଭେଟି ସେମାନଙ୍କୁ ଯେଭଳି ଭାବେ ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ମିଳି ପାରିବ ତାହା ସୁନିଶ୍ଚିତ କରିବ। ଏଥିପାଇଁ ୧୦ ଦିନ ଭିତରେ ଗୋଲାଗାଁରେ ଏକ କ୍ୟାମ୍ପ ପ୍ରତିଷ୍ଠା କରାଯିବ। ଯଦି ଆଉ କିଛି ସହାୟତା ଆବଶ୍ୟକ ପଡ଼େ ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ପରାମର୍ଶ କରି ଯାଜପୁର ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବେ। ଗୋଲାଗାଁରେ କିଡ୍‌ନି ରୋଗରେ ଆକ୍ରାନ୍ତ ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯିବ। ପରବର୍ତ୍ତୀ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଏହି ପ୍ରସଂଗରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟ ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Related Articles

Back to top button