ତାତିରୁ ମିଳିବ ଆଶ୍ଵସ୍ତି, ଦୋଳ ଓ ହୋଲିରେ ବର୍ଷା ସମ୍ଭାବନା
ଭୁବନେଶ୍ବର : କିଛି ଦିନ ହେଲା ରାଜ୍ୟବାସୀ ତାତିରେ ସିଝିବା ପରେ ଏବେ ସାମୟିକ ସମୟ ପାଇଁ ଏଥିରୁ ମିଳିବ ଆଶ୍ବସ୍ତି। କାରଣ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଏବଂ ୯ ଓ ୧୦ ତାରିଖରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୦ ତାରିଖରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁଁ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ର କହିଛି, ଆଜି ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ହୋଲି ଦିନ (ବୁଧବାର) ବି ଏହି ସବୁ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ। ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ଓ ପରିବେଶ ଥଣ୍ଡା ରହିବ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଜିଠାରୁ ରାଜ୍ୟର ଦିନର ସର୍ବୋଚ୍ଚ ତାପମାତ୍ରା ଅଧିକାଂଶ ସ୍ଥାନରେ କମିବ। ୧୧ ତାରିଖ (ଶନିବାର) ପର୍ଯ୍ୟନ୍ତ ତାପମାତ୍ରା ଅନେକ ସ୍ଥାନରେ ୩୮ ଡିଗ୍ରିରୁ ବଢ଼ିବ ନାହିଁ। ଅନେକ ସ୍ଥାନରେ ଏହା ୩୬ ଡିଗ୍ରି ତଳେ ରହିବ। ମାର୍ଚ୍ଚ ୮ରୁ ୧୦ ତାରିଖ ମଧ୍ୟରେ ପାଗର ପରିବର୍ତ୍ତନ ହେବ। ୮ ତାରିଖରେ କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା, ୯ ତାରିଖରେ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଓ ୧୦ ତାରିଖରେ ଉଭୟ ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରରେ ପାଗ ମେଘୁଆ ରହିବ। ରାଜ୍ୟର ଅନ୍ୟସ୍ଥାନରେ ପାଗ ଆଂଶିକ ମେଘୁଆ ରହିପାରେ। ୧୦ ତାରିଖରେ ଆଭ୍ୟନ୍ତର ଦକ୍ଷିଣ ଓ ଉତ୍ତରରେ ଅଳ୍ପ କେତୋଟି ସ୍ଥାନରେ ବର୍ଷା ହୋଇପାରେ। ଭୁବନେଶ୍ବରରେ ବର୍ଷା ସମ୍ଭାବନା କମ୍। ସମ୍ଭବତଃ ୮ରୁ ୧୦ଟା ତାରିଖ ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବ। ହୋଲି ଦିନ ବୁଧବାରରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ସାମାନ୍ୟ ରହିବ। ୧୨ ତାରିଖରୁ ପଶ୍ଚିମ/ଦକ୍ଷିଣ ଓଡ଼ିଶା ଓ ୧୩ ତାରିଖରେ ପ୍ରାୟତଃ ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ସାମୟିକ ଭାବେ ବଢ଼ିପାରେ। ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ପାଗ ମେଘୁଆ ଓ ବର୍ଷାର ସମ୍ଭାବନା ରହିଛି।