ହୋଲି ଖେଳ ବେଳେ ପାକିସ୍ତାନର ପଞ୍ଜାବ ୟୁନିଭରସିଟିରେ ବିବାଦ; ୧୫ରୁ ଅଧିକ ଛାତ୍ର ଆହତ
ଇସ୍ଲାମ୍ବାଦ୍: ପାକିସ୍ତାନର ପଞ୍ଜାବ ୟୁନିଭରସିଟି ପରିସରରେ ହୋଲି ଖେଳ ବେଳେ ଗଣ୍ଡଗୋଳ ଉପୁଜି ୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ୟୁନିଭରିସିଟି ପରିସରରେ ହୋଲି ଖେଳ ହେଉଥିବା ବେଳେ ଇସ୍ଲାମିକ୍ ଛାତ୍ର ସଂଗଠନର ସଦସ୍ୟମାନେ ସେମାନଙ୍କୁ ଅଟକାଇବାରୁ ଏହି ଗଣ୍ଡଗୋଳ ଉପୁଜିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଘଟଣା ସୋମବାର ପଞ୍ଜାବ ୟୁନିଭରସିଟିର ଆଇନ୍ କଲେଜରେ ହୋଇଛି। ସେଠାରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକତ୍ର ହୋଇଥିଲେ। ଆଇନ୍ କଲେଜ ପଡ଼ିଆରେ ହୋଲି ଖେଳିବାକୁ ଛାତ୍ରମାନେ ଏକତ୍ର ହୋଇଥିବା ବେଳେ ଇସ୍ଲାମିକ୍ ଜାମିଆ ଟୁଲ୍ବା (ଆଇଜେଟୁ)ର ସଦସ୍ୟମାଦେ ଆସି ସେମାନଙ୍କୁ ରଂଗ ଖେଳିବାକୁ ଅଟକାଇଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ଓ ଏହି ବିବାଦରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀ ତଥା ପଞ୍ଜାବ ୟୁନିଭରସିଟିର ଛାତ୍ର କାସିଫ୍ ବ୍ରୋହି ଆହୁରି ବି କହିଛନ୍ତି ଯେ ଛାତ୍ରମାନେ ରଂଗ ଖେଳିବା ପାଇଁ ବିଶ୍ବବିଦ୍ୟାଳୟ ପ୍ରଶାସନଙ୍କ ନିକଟରୁ ଅନୁମତି ଆଣିଥିଲେ।
ଆହତମାନଙ୍କ ମଧ୍ୟରୁ ଖେତ୍ କୁମାର ନାମକ ଜଣେ ଯୁବକ କହିଛନ୍ତି କି, ‘ ଇସ୍ଲାମିକ୍ ଜାମିଆ ଟୁଲ୍ବା (ଆଇଜେଟୁ)ର ସଦସ୍ୟମାନେ ଆସି ଗଣ୍ଡଗୋଳ ଉପୁଜାଇବା ବେଳେ ଆମେ ସେମାନଙ୍କୁ ସାମ୍ନା କରିବାରୁ ୟୁନିଭରସିଟିର ଗାର୍ଡ ଆମକୁ ଆକ୍ରମଣ କରିଥିଲେ। ଆମେ ଉଭୟ ଆଇଜେଟୁର ସଦସ୍ୟ ଓ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣିଛୁ। ମାତ୍ର ଏଯାଏ ପୁଲିସ୍ ଷ୍ଟେସନ୍ରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ।’