ପାରାଦୀପରୁ ସନ୍ଦିଗ୍ଧ ପାରା ଉଦ୍ଧାର: ଗୋଡ଼ରେ ଲାଗିଛି ସିସିଟିଭି, ମେମୋରି ଚିପ୍ସ

ପାରାଦୀପ: ବୁଧବାର ପାରାଦୀପ ମାଛଧରା ବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ପାରାକୁ ନେଇ ତଦନ୍ତ ଆରମ୍ଭ କରିଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ସାରଥୀ ନାମକ ବୋଟ ଗତ ୪ ତାରିଖରେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ପାରାଦୀପଠାରୁ ୭୬କିମି କାକଟପୁର ସୀମାରେ ବୋଟ ଥିବା ବେଳେ ସେଥିରେ ଗତ ୬ ତାରିଖରେ ଏହି ପାରା ଆସି ବସିଥିଲା ବୋଲି ବୋଟ ଷ୍ଟାଫ ପୀତାମ୍ବର ବେହେରା କୁହନ୍ତି। ପାରାକୁ ଚାଉଳ ଦେଖାଇ ଡାକିବାରୁ ସେ ଆସି କାନ୍ଧରେ ବସିଥିଲା। ପାରାର ଦୁଇଟି ଗୋଡରେ ଗୋଟିଏ ଛୋଟ ସିସି କ୍ୟାମେରା ଓ ମେମୋରି ଚିପ୍ସ ବନ୍ଧା ଯାଇଥିବାରୁ ସନ୍ଦେହ ହୋଇଥିଲା। ଆମେ ଆମ ମାଲିକ କିଶୋର ରାୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲୁ ବୋଲି ପୀତାମ୍ବର କୁହନ୍ତି। ସଂପୃକ୍ତ ବୋଟ ବୁଧବାର ମଧ୍ୟାହ୍ନରେ ଆସି ପହଞ୍ଚିବା ପରେ ମାଲିକ ରାୟ ଆସି ସ୍ଥାନୀୟ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ପାରାକୁ ନେଇ ତଦନ୍ତ ଆରମ୍ଭ କରିଛି। ଏପରିକି କୋଷ୍ଟଗାର୍ଡ ଗୁଇନ୍ଦା ଅଧିକାରୀମାନେ ଆସି ପାରା ଗୋଡରେ ବନ୍ଧା ଯାଇଥିବା କ୍ୟାମେରା ଚିପ୍ସ ଆଦି ଦେଖିଛନ୍ତି। ପାରାର ଡେଣା ପକ୍ଷୀରେ ବିଦେଶୀ ଭାଷା ଲେଖାଯାଇଛି। ସଂପୃକ୍ତ ଭାଷା କୋରିଆ କିମ୍ବା ଚାଇନାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ରିପୋର୍ଟ ଲେଖା ହେବା ସୁଦ୍ଧା ପୋଲିସର ଉଚ୍ଚସ୍ତରୀୟ ଅଧିକାରୀମାନେ ଆସି ଯାଞ୍ଚ ଚଳାଇଛନ୍ତି। କିନ୍ତୁ କୌଣସି ସୂଚନା ଦେବାକୁ ମନା କରିଛନ୍ତି। ଏଭଳି ସନ୍ଦେହ ଯୋଗୁ ଏହା ଗୁପ୍ତଚର ପାରା ବୋଲି କୁହାଯାଇଛି। ଆଉ କେତେକ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଏଭଳି ପାରା ଦୁଇବର୍ଷ ତଳେ ରାଜସ୍ଥାନ ବର୍ଡରଲାଇନ ପାଖରେ ଧରାପଡିଥିଲା। ପରେ ସେହି ପାରା ଏକ ଖେଳ ପ୍ରତିଯୋଗିତାର ବୋଲି ଜଣାପଡିଥିଲା। ପାକିସ୍ତାନ ଓ ରାଜସ୍ଥାନ ଅଞ୍ଚଳରେ ଏମିତି ପାରା ଉଡା ପ୍ରତିଯୋଗିତା କରାଯାଏ। ସେହି ପାରାର ଗୋଡରେ କ୍ୟାମେରା ବନ୍ଧା ଯାଇଥାଏ। ତଥାପି ଆମେ ସବୁ ଦିଗରୁ ତଦନ୍ତ କରୁଛୁ ବୋଲି ଥାନାଧିକାରିଣୀ ଲିଜାରାଣୀ ବିଶ୍ୱାଳ କହିଛନ୍ତି।

Related Articles

Back to top button