ଆଫଗାନିସ୍ତାନ୍କୁ ୨୦,୦୦୦ ମେଟ୍ରିକ୍ ଟନ୍ ଗହମ ସହାୟତା ପଠାଇବ ଭାରତ
ନୂଆଦିଲ୍ଲୀ: ସହାୟତା ଭାବେ ଇରାନ୍ର ଚାବହାର ବନ୍ଦର ବାଟେ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ୍ ଟନ୍ ଗହମ ପଠାଇବ ବୋଲି ମଙ୍ଗଳବାର ଦିନ ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତରେ ମିଳିତଭାବେ କାର୍ଯ୍ୟ କରୁଥିବା ‘ଇଣ୍ଡିଆ-ସେଣ୍ଟ୍ରାଲ୍ ଏସିଆନ୍ କଣ୍ଟ୍ରିଜ୍’ର ପ୍ରଥମ ବୈଠକରେ ଭାରତ ଘୋଷଣା କରିଛି।
ଗତକାଲି ଦିଲ୍ଲୀରେ ବସିଥିବା ଏହି ବୈଠକରେ ଭାରତ ଓ ଆଉ ୫ଟି କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ଗୁରୁତ୍ବାରୋପ କରି କହିଛନ୍ତି ଯେ, ଆଫଗାନିସ୍ତାନକୁ କୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ଭୂଇଁ ରୂପେ ବ୍ୟବହାର କରା ନ ଯିବା ଉଚିତ। ମହିଳା, ଝିଅ ଓ ସଂଖ୍ୟାଲଘୁ ସମେତ ଆଫଗାନ୍ମାନଙ୍କର ଅଧିକାର ପ୍ରତି ସମ୍ମାନ ଦେଉଥିବା ଭଳି ଗୋଟାଏ ନିଚ୍ଛକ ସାମଗ୍ରିକ ରାଜନୈତିକ ବ୍ୟବସ୍ଥା ଗଠନ କରାଯିବା ଆବଶ୍ୟକ ବୋଲି ସେମାନେ ଆହ୍ବାନ ଦେଇଛନ୍ତି।
ଆୟୋଜକ ଭାରତ ସମେତ ଏହି ବୈଠକରେ କାଜାଖସ୍ତାନ୍, କିର୍ଗିଜ୍ ରିପବ୍ଲିକ୍, ତାଜିକିସ୍ତାନ୍, ତୁର୍କମେନିସ୍ତାନ୍ ଓ ଉଜ୍ବେକିସ୍ତାନର ସ୍ବତନ୍ତ୍ର ଦୂତ ଅଥବା ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାଛଡ଼ା, ‘ୟୁଏନ୍ ଅଫିସ୍ ଅନ୍ ଡ୍ରଗ୍ସ୍ ଆଣ୍ଡ୍ କ୍ରାଇମ୍ସ୍’ର (ୟୁଏନ୍ଓଡିସି) ରାଷ୍ଟ୍ର ପ୍ରତିନିଧି ଏବଂ ‘ୟୁଏନ୍ ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ (ୟୁଏନ୍ଡବ୍ଲୁଏଫ୍ପି) ମଧ୍ୟ ଉପରୋକ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ।