ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗିରଫ କଲା ଇଡି
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ଟିମ୍ ଅବକାରୀ ନୀତି ମାମଲାରେ ତିହାର ଜେଲରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିଥିଲା । ତାଙ୍କୁ ୩ ଦିନ ପଚରାଉଚରା କରିବାକୁ କୋର୍ଟ ଇଡିକୁ ଅନୁମତି ଦେଇଛନ୍ତି । ଆଜି ଜେଲରେ ପଚରାଉଚରା ପାଇଁ ଇଡି ଜେଲ ପ୍ରଶାସନ ସହ ଯୋଗାଯୋଗ କରିଥିଲା। ସିସୋଦିଆଙ୍କୁ ମଧ୍ୟ ଗତ ମଙ୍ଗଳବାର ଦିନ ଇଡି ଜେଲରେ ପଚରାଉଚରା କରିଥିଲା ।
ଦିଲ୍ଲୀରେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା । ଏବେ ସେ ନ୍ୟାୟିକ ହେପାଜତରେ ଅଛନ୍ତି । ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୦ତାରିଖରେ ସିସୋଦିଆଙ୍କ ଜାମିନ ଶୁଣାଣି ହେବ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କୁ ଇଡି ଗିରଫ କରିବା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । କେଜ୍ରିଓ୍ଵାଲ ଟ୍ୱିଟ୍ କରି ଲେଖିଛନ୍ତି, ମନୀଷ ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା । ଚଢ଼ାଉରେ ସିବିଆଇକୁ କୌଣସି ପ୍ରମାଣ ମିଳିନଥିଲା, ଟଙ୍କା ମିଳିନଥିଲା। ଆସନ୍ତାକାଲି ଜାମିନ ଉପରେ ଶୁଣାଣି ହେବ। ଗତକାଲି ମନୀଷଙ୍କୁ ମୁକ୍ତ କରାଯାଇଥିବା ବେଳେ ଆଜି ଇଡି ତାଙ୍କୁ ଗିରଫ କରିଛି। ସେମାନଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି- ମନୀଷଙ୍କୁ ପ୍ରତିଦିନ ନୂଆ ନୂଆ ନକଲି ମାମଲା କରି ପ୍ରତ୍ୟେକ ପରିସ୍ଥିତିରେ ଭିତରେ ରଖିବା। ଲୋକମାନେ ଦେଖୁଛନ୍ତି, ଲୋକେ ଉତ୍ତର ଦେବେ ।