ଲାଲୁଙ୍କ ଘରୁ ୧ କୋଟି ଟଙ୍କା ନଗଦ କ୍ୟାଶ, ବିଦେଶୀ ମୁଦ୍ରା, ଆପତ୍ତିଜନକ କାଗଜପତ୍ର, ଅଳଙ୍କାର ଜବତ କଲା ଇଡି
ନୂଆଦିଲ୍ଲୀ: ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଗତକାଲି ରେଡ୍ ମାରିଛି । ଗୋଇନ୍ଦା ସୂଚନା ଆଧାରରେ ଲାଲୁଙ୍କର ଦିଲ୍ଲୀ-ଏନସିଆର, ପାଟନା, ମୁମ୍ବାଇ, ରାଞ୍ଚି ସମେତ ୨୪ଟି ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଚଢ଼ାଉ ସମୟରେ ୧ କୋଟି ଟଙ୍କା ନଗଦ କ୍ୟାଶ, ୧୯୦୦ ଆମେରିକୀୟ ଡଲାର ସମେତ ବିଦେଶୀ ମୁଦ୍ରା, ୫୪୦ ଗ୍ରାମ ସୁନା ବୁଲିୟନ ଓ ୧.୫ କେଜିରୁ ଅଧିକ ସୁନା ଗହଣା ଜବତ ହୋଇଛି ।
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଓ ତାଙ୍କର ସମ୍ପର୍କୀୟଙ୍କ ଘରେ ଇଡି ରେଡ୍ ମାରିଥିଲା । ଚାକିରି ବଦଳରେ ଜମି ଘୋଟାଲାରେ ଲାଲୁଙ୍କ ନାମରେ ଅଭିଯୋଗ ରହିଛି । ଇଡି ଲାଲୁଙ୍କ ପରିବାର, ସମ୍ପର୍କୀୟ, ଦଳୀୟ ନେତାଙ୍କ ଘରେ ରେଡ୍ ମାରିଥିଲା । ତେବେ ଲାଲୁଙ୍କ ଦୁଇ ଝିଅଙ୍କ ଘରୁ ୭୦ ଲକ୍ଷ ଟଙ୍କାର କ୍ୟାଶ ଓ ଗହଣା ଜବତ କରିଥିଲା ଇଡି । ଏହି ରେଡ୍ ସମୟରେ ଲାଲୁଙ୍କ ପରିବାର ସଦସ୍ୟ, ଶିଶୁ ଓ ମହିଳାଙ୍କ ସହ ଭଦ୍ର ବ୍ୟବହାର କରାଯାଇଥିବା ଇଡି ପକ୍ଷରୁ ସଫେଇ ଦିଆଯାଇଛି ।
ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ସ୍ଥିତ ଡି-୧୦୮୮ରେ ଚାରି ମହଲା ବିଶିଷ୍ଟ ବଙ୍ଗଳା ମେସର୍ସ ଏବି ଏକ୍ସପୋର୍ଟସ ଲିମିଟେ ନାମରେ ପଞ୍ଜିକୃତ ହୋଇଛି । ଏହାର ମାଲିକାନା ଲାଲୁଙ୍କ ପୁତ୍ର ତେଜସ୍ୱୀ ଓ ପରିବାର ନିକଟରେ ରହିଛି । ମାତ୍ର ୪ ଲକ୍ଷ ଟଙ୍କାରେ ଏହି ସମ୍ପତ୍ତି ଅଧିଗ୍ରହଣ କରାଯାଇଥିବା ଦର୍ଶାଯାଇଥିବା ବେଳେ ତା’ର ବର୍ତ୍ତମାନର ମାର୍କେଟ ଭାଲ୍ୟୁ ପାଖାପାଖି ୧୫୦ କୋଟି ହେବ । କମ୍ପାନୀ ଦପ୍ତରକୁ ବାସଭବନ ଭାବେ ବ୍ୟବହାର କରାଯାଇଥିବା ଇଡି ଜାଣିପାରିଛି ।