ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଲେ ଫାର୍ମ ହାଉସ ମାଲିକଙ୍କ ପତ୍ନୀ

ମୁମ୍ବାଇ: ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ନେଇ ଯାଂଚ ଚାଲିଛି । ସତୀଶ ମାର୍ଚ୍ଚ ୮ରେ ଦିଲ୍ଲୀର ଏକ ଫାର୍ମ ହାଉସରେ ଆୟୋଜିତ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ । ଫାର୍ମ ହାଉସରେ କେତେକ ଆପତିଜନକ ଔଷଧ ମିଳିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟା ବୃଦ୍ଧି କରାଇଥିଲା । ଇତି ମଧ୍ୟରେ ରବିବାର ଫାର୍ମ ହାଉସର ମାଲି ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀ ଦୃଢ଼ତା ସହକାରେ କହିଛନ୍ତି ସତୀଶଙ୍କୁ ହତ୍ୟା କରାଯାଇଛି । ମୋ ପତି ୧୫ କୋଟି ଟଙ୍କା ଦେଣନେଣ ନେଇ ତାଙ୍କୁ ହତ୍ୟା କରିଛନ୍ତି । ମହିଳାଜଣଙ୍କ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ବିକାଶ ମେଡିସିନ ମାଧ୍ୟମରେ ଏହି କାଣ୍ଡ ରଚିଛନ୍ତି । ସତୀଶ ତାଙ୍କ ପତିଙ୍କଠାରୁ ବକେୟା ଅର୍ଥ ମାଗୁଥିଲେ, ସେ କିନ୍ତୁ ଏହା ଦେବାକୁ ଚାହୁଁ ନ ଥିଲେ । ଏହି ଅର୍ଥ ନେଇ ଉଭୟଙ୍କ ମଧ୍ୟରେ ଅନେକଥର ଝଗଡା ମଧ୍ୟ ହୋଇଛି ବୋଲି ସେ କହିଛନ୍ତି । କୋଭିଡ ସମୟରେ ସେ ସତୀଶଙ୍କ ଅର୍ଥ ଖର୍ଚ୍ଚ କରି ଦେଇଥିଲେ । ମୋତେ ବିକାଶ ନିଜେ କହିଛନ୍ତି ସତୀଶଙ୍କୁ ଯୋଜନାବଦ୍ଧ ଭାବେ ରାସ୍ତାରୁ ହଟେଇବାକୁ ପଡିବ । ମାଲୁ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସତୀଶଙ୍କ ସହ ମୋର ପାରିବାରିକ ସମ୍ପର୍କ ରହିଥିଲା । ତାଙ୍କ ମୃତ୍ୟୁ ମୋତେ ବାଧିଛି ବୋଲି କହିଛନ୍ତି ।

Related Articles

Back to top button