ପଶ୍ଚିମବଙ୍ଗ ବିଧାନସଭା ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହିଁଲେ ପ୍ରଥମେ ବିଧାନସଭାକୁ ଅବଗତ କରିବାକୁ ପଡ଼ିବ
ନୂଆଦିଲ୍ଲୀ: ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀମାନେ ଆଣିଥିବା ଏକ ବଡ଼ ଅଭିଯୋଗକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ କରୁଥିବା ନେଇ ଅଭିଯୋଗ କରି ଗତ ୫ ତାରିଖରେ ବିପକ୍ଷ ଦଳଳ ୯ ଜଣ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚିଠି ଲେଖିଥିଲେ ।
ତେବେ ଏହି ପ୍ରସଙ୍ଗରେ ମୋଦୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ ବିରୋଧରେ ନିୟମ ୧୮୩ ଅଧୀନରେ ରାଜ୍ୟ ବିଧାନସଭାରେ ତୃଣମୂଳ କଂଗ୍ରେସ (ଟିଏମସି) ଏହାକୁ ପାରିତ କରିଛି । ଏଣିକି ଯଦି ବିଧାନସଭାର କୌଣସି ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହିଁବ, ତେବେ ସେଥିପାଇଁ ବିଧାନସଭାକୁ ଅବଗତ କରିବାକୁ ପଡ଼ିବ ।
ଏନେଇ ମନ୍ତ୍ରୀ ସୋଭନଦେବ ଚଟ୍ଟୋପାଧ୍ୟାୟ କହିଛନ୍ତି, ସାରା ଦେଶରେ ବିରୋଧୀଙ୍କୁ ଦମନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରୁଛନ୍ତି । ଦେଶରେ ଏହି ପ୍ରକ୍ରିୟା ନିରନ୍ତର ଭାବେ ବଢ଼ିବାରେ ଲାଗିଛି । ଇଡି-ସିବିଆଇ ବିପକ୍ଷ ନେତାଙ୍କ ଘରେ ରେଡ୍ ମାରୁଛି । ରାଜନୈତିକ ଉଦ୍ଦେଶ୍ୟରେ ବିରୋଧୀଙ୍କୁ ଅଯଥାରେ ହଇରାଣ କରାଯାଉଛି । ଏ ପ୍ରସଙ୍ଗରେ ଟିଏମସି ସୁପ୍ରିମୋ ମମତାଙ୍କ ନେତୃତ୍ୱରେ ବିରୋଧୀଙ୍କ ପକ୍ଷରୁ ପିଏମଙ୍କୁ ଚିଠି ଲେଖାଯାଇଥିଲା । ଏପରିକି ଗତବର୍ଷ ଏନେଇ ବିଧାନସଭାରେ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା । ଏଥର ସିଧାସଳଖ ଭାବେ ଇଡି-ସିବିଆଇର ଅତି ସକ୍ରିୟତାକୁ ବିରୋଧ କରାଯାଉଛି ।
ସୂଚନାଯୋଗ୍ୟ ଯେ, ନିକଟରେ ମୋଦୀଙ୍କୁ ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାରର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଜମମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ରହିଥିଲେ । ।
ଏହା ପୂର୍ବରୁ ଚଳିତ ମାସ ପହିଲାରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ସମାନ ଅଭିଯୋଗ ଆଣିଥିଲେ । ଭ୍ରଷ୍ଟାଚାର ଅଭିଯୋଗ ଥିବା ନେତାମାନେ ବିଜେପିରେ ସାମିଲ ହେବା ପରେ ସେମାନଙ୍କ ଉପରେ ତଦନ୍ତ ପ୍ରକିୟାକୁ ବନ୍ଦ କରି ଦିଆଯାଉଥିବା ଥରୁର କହିଥିଲେ । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମଦ ଘୋଟାଲା ଯାଞ୍ଚକୁ ନେଇ ଥରୁର ବିଜେପି ଉପରେ ବର୍ଷିଥିଲେ ।
ଏଭଳି ୮ ଜଣ ଭ୍ରଷ୍ଟ ନେତାଙ୍କ ଲିଷ୍ଟ ଥରୁର ଟ୍ୱିଟରରେ ଶେୟାର କରିଥିଲେ । ଉକ୍ତ ଲିଷ୍ଟରେ ରହିଥିବା ନେତାମାନଙ୍କ ମଧ୍ୟରେ ଅସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦିୟୁରପ୍ପା, ଶୁଭେନ୍ଦୁ ଅଧିକାରୀ, ଭାବନା ଗବଲି, ଯଶବନ୍ତ ଯାଧବ, ଯାମିନୀ ଯାଧବ, ପ୍ରତାପ ସରନାଈକ ଓ ନାରାୟଣ ରାଣେ ରହିଥିଲେ । । ଏହି ନେତାମାନେ ବିଜେପିରେ ସାମିଲ ହେବା ପରେ ସେମାନଙ୍କର ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଥିଲା ବୋଲି ଥରୁର ଅଭିଯୋଗ ଆଣିଥିଲେ ।