ଆସନ୍ତା ସପ୍ତାହ ଋଷ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ବେଜିଙ୍ଗ: ଆସନ୍ତା ସପ୍ତାହରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷ ଗସ୍ତରେ ଯିବେ। ଆଉ ତାଙ୍କର ମସ୍କୋ ଗସ୍ତକୁ ନେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜିନପିଙ୍ଗ ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ବଡ କଥା ଯେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚାଲିଥିବାବେଳେ ଜିନପିଙ୍ଗଙ୍କ ଏହି ଗସ୍ତ ଉପରେ ଆମେରିକା ସହ ଅନ୍ୟ ନାଟୋ ରାଷ୍ଟ୍ରମାନଙ୍କ ନଜର ରହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୨୦ରୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷ ଗସ୍ତରେ ଯିବେ। ଚୀନ୍‌ର ରାଷ୍ଟ୍ରପତି ଭାବରେ ତୃତୀୟଥର ଶାସନକୁ ଫେରିବା ପରେ ଏହା ଜିନପିଙ୍ଗଙ୍କ ପ୍ରଥମ ବୈଦେଶିକ ଗସ୍ତ ହେବ। ଅନ୍ୟପଟେ ଋଷ ପକ୍ଷରୁ କୁହାଯାଇଛି ଯେ ସି ଜିନପିଙ୍ଗ ମାର୍ଚ୍ଚ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଋଷ ଗସ୍ତରେ ଆସୁଛନ୍ତି। ଅନେକ ବିଶେଷଜ୍ଞ କହିଛନ୍ତି ଯେ ସି ଜିନପିଙ୍ଗଙ୍କ ଋଷ ଗସ୍ତ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, କାରଣ ଆମେରିକା ଚୀନକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଥିବାବେଳେ ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଉପରେ ମଧ୍ୟ ଆମେରିକା ଅନେକ ପ୍ରତିବନ୍ଧକ ଲଗାଇଛି। ଋଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ଋଷ ବିରୁଦ୍ଧରେ ଥିବାବେଳେ ଚୀନ୍ ସହ ଆମେରିକାର ସମ୍ପର୍କ ମଧ୍ୟ ସ୍ୱାଭାବିକ ନୁହେଁ। ଏଭଳି ପରିସ୍ଥିତିରେ ଋଷ ଏବଂ ଚୀନ୍ ମଧ୍ୟରେ ନିବିଡ଼ତା ହେତୁ ଆମେରିକାର ଚିନ୍ତା ଆହୁରି ବୃଦ୍ଧି ପାଇବ।

Related Articles

Back to top button