୬ ମାସରେ ରାଜସ୍ୱ ବିଭାଗ ଅଧିନରେ ୩ ହଜାର ପଦବି ପୂରଣ ହେବ: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ରାଜ୍ୟରେ ରାଜସ୍ୱ ବିଭାଗ ଅଧୀନରେ ଖାଲିପଡ଼ିଥିବା ପ୍ରାୟ ୩ ହଜାର ପଦବି ପୂରଣ ହେବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗତକାଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀ ମଲ୍ଲୀକ ଏହି ସୂଚନା ଦେଇଛନ୍ତି।

ରାଜସ୍ୱ ନିରୀକ୍ଷକ, ସହାୟକ ରାଜସ୍ୱ ନିରୀକ୍ଷକ, ଅମିନ, କନିଷ୍ଠ ରାଜସ୍ୱ ସହାୟକ, ଅଡିଟର, ଟାଇପିଷ୍ଟ, ଷ୍ଟେନୋଗ୍ରାଫର, କନିଷ୍ଠ ସହାୟକ, ସହକାରୀ ସହାୟକ ଓ ଅନ୍ୟାନ୍ୟ ପଦପଦବିରେ ପ୍ରାୟ ୨୯୯୮ ନିଯୁକ୍ତି ମିଳିବ। ଆସନ୍ତା ୬ ମାସ ଭିତରେ ଏହିସବୁ ପଦବି ପୂରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ବିଭାଗରେ ଖର୍ଚ୍ଚଦାବି ନେଇ ଗୃହରେ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ରାଜସ୍ୱ ପ୍ରଶାସନର କାର୍ଯ୍ୟକୁ ସୁଦୃଢ଼ କରିବାକୁ ନିଯୁକ୍ତି ବୃଦ୍ଧି କରାଯାଇଛି। ଓଡ଼ିଶା ପ୍ରଶାସନିକ ସେବା, ପ୍ରଥମ ଶ୍ରେଣୀ(କନିଷ୍ଠ ବର୍ଗ) କ୍ୟାଡ଼ର ସଂଖ୍ୟାକୁ ୧୧୮୮ରୁ ବୃଦ୍ଧି କରି ୧୩୧୩ କରାଯାଇଥିବା ବେଳେ ଓଡ଼ିଶା ରାଜସ୍ୱ ସେବା(ଦ୍ୱିତୀୟ ବର୍ଗ) କ୍ୟାଡ଼ର ସଂଖ୍ୟାକୁ ୧୦୯୨ରୁ ବଢ଼ାଇ ୧୨୯୦ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜସ୍ୱ ପ୍ରଶାସନର ସଶକ୍ତିକରଣ ପାଇଁ ଏହି ବିଭାଗ ଦ୍ୱାରା ୯୨୦ଜଣ କନିଷ୍ଠ ରାଜସ୍ୱ ସହାୟକ, ୫୮୬ଜଣ ରାଜସ୍ୱ ନିରୀକ୍ଷକ, ୫୭୬ଜଣ ସହକାରୀ ରାଜସ୍ୱ ନିରୀକ୍ଷକ ଓ ୫୩୮ଜଣ ଅମିନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ–୨୦୧୨କୁ ପ୍ରଶଂସା କରିବା ସହ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଜନସାଧାରଣଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ପାଇଁ ରାଜସ୍ୱ ବିଭାଗର ୩୪ଟି ସେବାକୁ ଓଡ଼ିଶା ଗେଜେଟରେ ଅଧିସୂଚିତ କରାଯାଇଛି । ଏହି ବିଭାଗ ଗତ ୪ବର୍ଷ ମଧ୍ୟରେ ଲୋଙ୍କୁ ବିଭିନ୍ନ ବର୍ଗରେ ମୋଟ ୨.୪୪କୋଟି ଲୋକସେବା ଯୋଗାଇ ଦେଇଛି । ଜାତୀୟ ଜନଗଣନା କାର୍ଯ୍ୟକ୍ରମ ପାଇଁ ୨୦୨୩–୨୪ ଆର୍ଥିକ ବର୍ଷରେ ୫୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ମୋଟ ୧୫୮୬.୪୧କୋଟି ଟଙ୍କାର ଖର୍ଚ୍ଚଦାବିକୁ ମନ୍ତ୍ରୀ ଶ୍ରୀ ଉପସ୍ଥାପନ କରିଥିଲେ। ଏହାପରେ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ବିଭାଗର ବିଭିନ୍ନ କାର୍ଯ୍ୟକୁ ଆଲୋଚନା କରି ରାଜସ୍ୱ ବିଭାଗରେ ଦୁର୍ନୀତି ଚରମସୀମାରେ ପପହଞ୍ଚିଛି ବୋଲି କହି ବିଭାଗର କାର୍ଯ୍ୟାକରିତାକୁ ସମାଲୋଚନା କରିଥିଲେ।

Related Articles

Back to top button