ଆଜି ବିଶ୍ୱ ପଖାଳ ଦିବସ, ଜାଣନ୍ତୁ ପଖାଳର ଔଷଧୀୟ ଗୁଣ ବିଷୟରେ..
ଭୁବନେଶ୍ୱର: ସମସ୍ତ ଓଡ଼ିଆ ପଖାଳ ସହ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମଧ୍ୟ ଅତି ପ୍ରିୟ ଟଙ୍କ ତୋରାଣୀ । ଗରିବ ହେଉ କି ଧନୀ, ପଖାଳ ଖାଇବାକୁ ସଭିଏଁ ଭଲ ପାଆନ୍ତି। ଏଥିପାଇଁ ମାର୍ଚ୍ଚ ୨୦ରେ ପାଳନ ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ଓଡ଼ିଆଙ୍କ ପ୍ରିୟ ଏହି ପଖାଳ ବାସ୍ତବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଓ ରୋଗ ସହ ଲଢ଼ିବାକୁ ପ୍ରଚୁର କ୍ଷମତା ଯୋଗାଏ । ଏହି ବିଶ୍ୱାସକୁ ଆହୁରି ଦୃଢ଼ିଭୂତ କରିଛି ମେଡିକାଲ୍ ସାଇନ୍ସ ।
ସୂଚନା ଅନୁସାରେ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମ୍ସ ପକ୍ଷରୁ କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପଖାଳରେ ପ୍ରଚୁର ଶକ୍ତି ରହିଛି । ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଉଛି । ଏପରିକି ପଖାଳ ଖାଇବା ଦ୍ୱାରା କରୋନା ସହ ଲଢ଼ି ହେବ ବୋଲି ମଧ୍ୟ କୁହାଯାଉଛି । ଓଡ଼ିଶାର ଏହି ପାରମ୍ପାରିକ ପ୍ରିୟ ଖାଦ୍ୟ ପଖାଳ ଓ ତୋରାଣୀରେ ଏଭଳି ଶକ୍ତି ରହିଛି ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ଗବେଷଣା କରାଯାଇଛି । ଅଧ୍ୟୟନ ଅନୁସାରେ ପଖାଳରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ରହିଛି ଏବଂ ତୋରାଣିରେ ଶର୍ଟ-ଚେନ୍ ଫାଟି ଏସିଡ୍ ଭରପୂର ରହିଛି । ଯାହାକି ଶକ୍ତିବର୍ଦ୍ଧକ ଓ କ୍ଷୀଣ ଶରୀରକୁ ସୁସ୍ଥ ସବଳ ମୋଟା କରିବାରେ ମଧ୍ୟ ସହାୟକ ହୋଇଥାଏ ।
ପଖାଳ ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ମଧ୍ୟ ସୁଆଦିଆ ଲାଗିଥାଏ। ବହୁ ଲୋକଙ୍କର ଭ୍ରାନ୍ତ ଧାରଣା ଥାଏ ଯେ ନିୟମିତ ପଖାଳ ଖାଇଲେ ଥଣ୍ଡା ଜନିତ ରୋଗ ହୋଇଥାଏ ଓ ମୋଟାପଣ ବଢ଼ିଥାଏ। ଆଉ କିଛି ଭାବିଥାନ୍ତି, ବାସୀ ଭାତ ଖାଇଲେ ଦେହ ଖରାପ ହୋଇଥିଏ। କିିନ୍ତୁ ପଖାଳ ସ୍ୱାସ୍ଥ୍ୟପ୍ରତି ବହୁତ ଭଲ। ନିୟମିତ ପଖାଳ ଖାଉଥିବା ବ୍ୟକ୍ତି ବହୁତ କମ୍ ରୋଗରେ ପଡିଥାନ୍ତି। ଆସନ୍ତୁ ଜାଣିବା ପଖାଳ ଖାଇଲେ କଣ ସବୁ ଫାଇଦା ମିଳିଥାଏ।