୫ ଜିଲ୍ଲାରେ କୂଳ ଖାଉଛି ସମୁଦ୍ର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନାଁ ଶୁଣିଲେ ସମୁଦ୍ର କୂଳିଆ ଲୋକଙ୍କ ଛାତି ଥରେ । ଆଉ ଏବେ ରାଜ୍ୟର ଅନେକ ସ୍ଥାନରେ ସାତଭାୟା ସ୍ଥିତି ଉପୁଜୁଛି । ଯାହାକୁ ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ବିଧାନସଭାରେ କରିଥିବା ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ୍ ।

ପ୍ରଦୀପ ଅମାତ୍ କହିଛନ୍ତି, ସାମୁଦ୍ରିକ ଜୁଆର ପବନ ବୃଦ୍ଧି ଯୋଗୁଁ ରାଜ୍ୟର ୫ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଟ ଅବକ୍ଷୟ ହେବାରେ ଲାଗିଛି । ସାମୁଦ୍ରିକ ଉପକୂଳ ପରିଚାଳନା ପ୍ରକଳ୍ପ (ICZM Project) ମାଧ୍ୟମରେ ଓଡ଼ିଶାର ସମୁଦ୍ରତଟ ସର୍ବେକ୍ଷଣ ଓ ତଟ ଅବକ୍ଷୟ ପ୍ରତିରୋଧ ପାଇଁ ସମଗ୍ର ୪୮୦ କିଲୋମିଟର ସମୁଦ୍ର ତଟର ଏକ ଦୀର୍ଘମିଆଦି ତଟବର୍ତ୍ତ ଅଞ୍ଚଳ ଯୋଜନା (Shoreline Management Plan) ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠଠାରେ ତଟ ଅବକ୍ଷୟ ରୋକିବା ଲାଗି ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଇ ପରୀକ୍ଷା ମୂଳକ ଭାବେ ଦୀର୍ଘ ୫୦୫ ମିଟରର ଜିଓ ଟେକ୍ସଟାଇଲ୍ ବନ୍ଧ ବିଛା ଯାଇ ପ୍ରବଳ ଲହଡ଼ିକୁ ପ୍ରତିହତ କରାଯାଉଛି ।

ଓସଡମା ଓ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ସମୁଦ୍ର ଉପକୂଳ କ୍ଷୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୧୬ଟି ଗାଁ ସମୁଦ୍ର ଗର୍ଭରେ ବିଲୀନ ହୋଇଛି । ଏଥିପାଇଁ ୨୪୭ ଲୋକ ବିସ୍ଥାପିତ ହୋଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସମ୍ପୂର୍ଣ୍ଣ ପୋଡ଼ମପେଟ୍ଟା ଗାଁ ଏବଂ ଚିକିଟି ବ୍ଲକ ରାମାୟାପାଟଣା ଗାଁର କିଛି ପରିବାରକୁ ସ୍ଥାନାନ୍ତରଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ ଜନିତ ପ୍ରତିକୂଳ ପରିସ୍ଥିତିର ସାମ୍ନା ପାଇଁ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ୧୧ଟି ବିଭାଗ ସହାୟତାରେ କାର୍ଯ୍ଯକାରୀ କରୁଥିବା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ୍ ।

Related Articles

Back to top button