ଶ୍ରୀମନ୍ଦିର ଜଗିବ ସିସି କ୍ୟାମେରା, ରଥଯାତ୍ରା ପୂର୍ବରୁ ଲଗାଇବାକୁ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିର ଜଗିବ ସିସି କ୍ୟାମେରା।  ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି। ଶ୍ରୀମନ୍ଦିରରେ ବାରମ୍ବାର ହେଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଲାଗିବାକୁ ଥିବା ଉଚ୍ଚକ୍ଷମତାସମ୍ପନ୍ନ ସିସି କ୍ୟାମେରାର ଫୁଟେଜ୍ କ୍ଲିୟର ଆସିବ। ଫଳରେ ଅପରାଧ ଭିଆଇବାକୁ ଚେଷ୍ଟା କରୁଥିବା ଦୁର୍ବୃତ୍ତର ଚିତ୍ର ସିସିଟିଭିରେ କଏଦ ହୋଇଯିବ। ଗତବର୍ଷ ଶ୍ରୀମନ୍ଦିରରେ ରୋଷଘର ଚୁଲି ଭଙ୍ଗା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଅବଢ଼ା ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ ଓବିସିସି ପକ୍ଷରୁ ନେଇ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଦିଲ୍ଲୀର ପ୍ୟାନ ଇଣ୍ଟେଲ୍‌କମ୍ ନାମକ ଏକ କମ୍ପାନୀ ଏହି ଟେଣ୍ଡର ନେଇଥିବା ବେଳେ ସମ୍ପୃକ୍ତ କମ୍ପାନୀକୁ କାର୍ଯ୍ୟ ଆରମ୍ଭ କରିବାକୁ ଦିଆଯାଇ ସାରିଛି। ରଥଯାତ୍ରା ପୂର୍ବରୁ ଯେମିତି ସମସ୍ତ କ୍ୟାମେରା ଲାଗିଯିବ ସେ ନେଇ ନିର୍ଦ୍ଦେଶ ଦିଆଯାଇଛି।  ତେବେ କାମ କେମିତି ହେବ, ସିସିଟିଭି ଫୁଟେଜ୍ କେମିତି ରହିବ, ପ୍ରତିକାତ୍ମକ ଭାବେ କମ୍ପାନୀ ଏସବୁର ପାୱାର୍‌ପଏଣ୍ଟ୍‌ ପ୍ରେଜେଣ୍ଟେସନ୍‌ ସମ୍ପୃକ୍ତ କମ୍ପାନି ଶ୍ରୀମନ୍ଦିର ପ୍ରଶାସନକୁ ଦେଖାଇଛି।

ଅବଢ଼ା ଯୋଜନାରେ ଶ୍ରୀମନ୍ଦିରରେ ୧୬୨ଟି ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଏଥପାଇଁ ୬.୪୭ କୋଟି ଟଙ୍କା ଖର୍ଚ୍ଚ ହେବ। ସିସି କ୍ୟାମେରାରେ ଅଧିକାଂଶ ବୁଲେଟ୍‌ କ୍ୟାମେରା ରହିବ। ଜୁମ୍‌ ସୁବିଧା ଯୋଗୁ ଏଥିରେ ସହଜରେ ଲୋକଙ୍କ ମୁହଁ ଚିହ୍ନି ହେବ  ଓ ଲୋକଙ୍କ ଚଳପ୍ରଚଳକୁ ସହଜରେ ଧରିହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପୂର୍ବରୁ କେବଳ ସିସି କ୍ୟାମେରାର କଣ୍ଟ୍ରୋଲ୍‌ ରୁମ୍‌ ପୁଲିସ ପାଖରେ ରହୁଥିବା ବେଳଏ ଏବେ ପୁଲିସ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ ଓ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ବି ସିସି କ୍ୟାମେରା ଫୁଟେଜ୍‌ ଦେଖିପାରିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ପୁଲିସ କାର୍ଯ୍ୟାଳୟ ସହ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର ପରିସର ପ୍ରତ୍ନତତ୍ତ୍ୱ ବିଭାଗ କାର୍ଯ୍ୟାଳୟରେ ସିଟିଟିଭି କଣ୍ଟ୍ରୋଲ୍‌ ରୁମ୍‌ ରଖାଯିବ।

ରଥଯାତ୍ରା ପୂର୍ବରୁ ଆଗ କେତୋଟି ମୁଖ୍ୟ ଜାଗାରେ ସିସି କ୍ୟାମେରା ଲଗାଇବାକୁ ବ୍ୟବସ୍ଥାକୁ କରାଯିବ। ରଥଯାତ୍ରା ସରିବା ପରେ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି। ସିସି କ୍ୟାମରା ଲଗାଇଥିବା କମ୍ପାନୀ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ବି ନେଇଛି। ଏଥିପାଇଁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Related Articles

Back to top button