ଆରଟି-ପିସିଆର ଟେଷ୍ଟ ବଢ଼ାଇବା ଲାଗି ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୫ ମାର୍ଚ୍ଚ, ୨୦୨୩ରେ ଜାରି କରାଯାଇଥିବା ଯୁଗ୍ମ ମାର୍ଗଦର୍ଶିକା ଅନୁଯାୟୀ ପ୍ରାଥମିକତା ନିର୍ଦ୍ଧାରଣ କରି ପ୍ରସ୍ତୁତି କରାଯିବା ଉଚିତ। ତେଣୁ ସନ୍ଦିଗ୍ଧ ନମୁନାର ଆରଟି-ପିସିଆର ଟେଷ୍ଟ ବଢ଼ାଇବା ଆବଶ୍ୟକ। ସେହିପରି ନମୁନାଗୁଡ଼ିକର ହୋଲ ଜିନୋମ ସିକୁଏନ୍ସିଂ ବା ସମ୍ପୂର୍ଣ୍ଣ ଜିନଗତ ଅନୁଶୀଳନ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ସମସ୍ତଙ୍କୁ, ବିଶେଷ କରି ଦୁର୍ବଳ ବର୍ଗଙ୍କୁ ବୁଷ୍ଟର ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ଏଥିପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ରାଜ୍ୟମାନେ କୋଭିଡ-୧୯ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ । ପ୍ରସ୍ତୁତି କ୍ଷେତ୍ରରେ ରହିଥିବା ବକେୟା କାର୍ଯ୍ୟ ସାରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ ।
ବୈଠକରେ ବିଶ୍ୱସ୍ତରରେ କୋଭିଡ-୧୯ ପରିସ୍ଥିତି ଏବଂ ଭାରତରେ ବର୍ଦ୍ଧିତ ସଂକ୍ରମଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚନା ଦିଆଯାଇଥିଲା ଯେ ୩ ମାର୍ଚ୍ଚ, ୨୦୨୩ରେ ଶେଷ ହେଉଥିବା ସପ୍ତାହରେ ଦୈନିକ ହାରାହାରୀ କୋଭିଡ ସଂକ୍ରମଣ ୩୧୩ ଥିବା ବେଳେ ୨୩ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରୀ ସଂକ୍ରମଣ ୯୬୬କୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭିଟୀ ହାର ୧.୦୮%କୁ ବୃଦ୍ଧି ପାଇଛି ।
୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟୀ ହାର ୪.୫୮%କୁ ବୃଦ୍ଧି ପାଇଛି ଯାହାକି ୩ ମାର୍ଚ୍ଚରେ ଶେଷ ହୋଇଥିବା ସପ୍ତାହରେ ୦.୫୪% ଥିଲା। ଗୁଜରାଟରେ ସାପ୍ତାହିକ ସଂକ୍ରମଣ ୦.୦୭%ରୁ ୨.୧୭%କୁ ବଢ଼ିଛି । କେରଳରେ ସାପ୍ତାହିକ ସଂକ୍ରମଣ ହାର ୧.୪୭%ରୁ ୪.୫୧%କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ଏହି ହାର ୧.୬୫%ରୁ ୪.୫୧%, ଦିଲ୍ଲୀରେ ୦.୫୩%ରୁ ୪.୨୫%କୁ ବୃଦ୍ଧି ପାଇଛି। ସେହିପରି ହିମାଚଳ ପ୍ରଦେଶରେ ସାପ୍ତାହିକ ପଜିଟିଭିଟୀ ହାର ୧.୯୨%ରୁ ୭.୪୮%କୁ ବୃଦ୍ଧି ପାଇଛି। ତାମିଲନାଡ଼ୁରେ ସାପ୍ତାହିକ ପଜିଟିଭିଟୀ ହାର ୦.୪୬%ରୁ ୨.୪୦%କୁ ବୃଦ୍ଧି ପାଇଛି ।
୨୨ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଦୈନିକ ଟିପିଏମ ଜାତୀୟ ହାରାହାରୀ ଠାରୁ କମ ରହିଛି । ଦେଶର ୨୪ଟି ଜିଲ୍ଲାରେ ୨୪ ମାର୍ଚ୍ଚ ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ୧୦%ରୁ ଅଧିକ ସାପ୍ତାହିକ ପଜିଟିଭିଟୀ ହାର ରେକର୍ଡ କରାଯାଇଛି । ଅନ୍ୟପଟେ ଏହି ସମୟ ମଧ୍ୟରେ ୪୩ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟୀ ହାର ୫-୧୦% ରହିଛି ।