ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାକୁ ୮୨୨ କୋଟି ଟଙ୍କା ଦେଲା ବିଶ୍ୱବ୍ୟାଙ୍କ

ଭୁବନେଶ୍ୱର: ଓଡ଼ିଶା ହାରାହାରି ୧୫ ମାସରେ ଥରେ ବିପର୍ଯ୍ୟୟର ସାମ୍ନା କରୁଛି। ଏହାଦ୍ୱାରା ଅନେକ ଧନ ଜୀବନ କ୍ଷତି ହେଉଛି। ଏହାକୁ ନଜରରେ ରଖି ବିଶ୍ବବ୍ୟାଙ୍କ ଓଡ଼ିଶାକୁ ୧୦୦ ନିୟୁଡ ଡଲାର ବା ୮୨୨ କୋଟି ଟଙ୍କା ବିପର୍ଯ୍ୟୟ ମୁକାବିଲା ପାଇଁ ଦେଇଛି। ଏହି ଟଙ୍କା ବିପର୍ଯ୍ୟୟର ପ୍ରାରମ୍ଭିକ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଗରିବ ଏବଂ ଦୁର୍ବଳ ପରିବାର ପାଇଁ ଏହାର ସାମାଜିକ ସୁରକ୍ଷା ଦେବା ବ୍ୟବସ୍ଥାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ।

ବିଶ୍ବ ବ୍ୟାଙ୍କ ବିବୃତ୍ତିରେ କହିଛି, ଓଡ଼ିଶା ଷ୍ଟେଟ୍ କ୍ୟାପାବିଲିଟି ଆଣ୍ଡ୍ ରେସିଲିଏଣ୍ଟ୍ ଗ୍ରୋଥ୍ ପ୍ରୋଗ୍ରାମ୍ ମଲ୍ଟି-ହାର୍ଜଡ୍ ଡିଜିଟାଲ୍ ଓ୍ୱାର୍ଣ୍ଣିଂ ସିଷ୍ଟମ୍ ଜରିଆରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ କରିବାରେ ସହାୟକ ହେବ।

ଏହି କର୍ଯ୍ୟକ୍ରମ ନଗଦ ଟଙ୍କା ହସ୍ତାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସୁରକ୍ଷା କଭରେଜକୁ ମଧ୍ୟ ବୃଦ୍ଧି କରିବ। ଉପକୂଳବର୍ତ୍ତୀ ଏବଂ ଅବହେଳିତ ସମୁଦାୟ ଅନଲାଇନ ଡେଲିଭରି ପ୍ଲାଟଫର୍ମ ମାଧ୍ୟମରେ ସହାୟତା ଗ୍ରହଣ କରିବେ ବୋଲି ବିଶ୍ୱ ବ୍ୟାଙ୍କ କହିଛି।

ବିଶ୍ୱବ୍ୟାଙ୍କର ଭାରତ ପାଇଁ ନିୟୋଜିତ ଅଧିକାରୀ ବା ନିର୍ଦ୍ଦେଶକ ଅଗଷ୍ଟେ ତାନୋ କୁଆମେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ।

ସୂଚନାଯୋଗ୍ୟ, ପ୍ରତିବର୍ଷ ବାତ୍ୟା ଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥାଏ। ରାଜ୍ୟର ୪୮୦ କିମି ଉପକୂଳ ମଧ୍ୟ ସୁନାମି ଆଶଙ୍କାରେ ରହିଛି। ବାରମ୍ବାର ଘଟୁଥିବା ବିପର୍ଯ୍ୟୟ କୃଷି ଉତ୍ପାଦନ, ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି ଭଳି ଆର୍ଥିକ କାର୍ଯ୍ୟକଳାପକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ନିକଟରେ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶା ସରକାରକୁ ପ୍ରଶଂସା କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ।

Related Articles

Back to top button