ସାମାନ୍ୟ ବଚସାରୁ ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ
କୋରାପୁଟ: କିରଣ୍ଡଳରୁ ବିଶାଖାପାଟଣା ଯାଉଥିବା ପାସେଞ୍ଜର ଟ୍ରେନରେ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ଟ୍ରେନ୍ରୁ ଜଣେ ଯାତ୍ରୀଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଟ୍ରେନ୍ ଚକ ତଳେ ପଡି ଯୁବକଙ୍କ ଗୋଡ କଟି ଯାଇଛି। ସେ ଜଗଦଳପୁର ଅଞ୍ଚଳର ଜାଭେଦ ମହମ୍ମଦ ବୋଲି ଜଣାପଡିଛି। ଜାଭେଦଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଜିଆର୍ପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, କିରଣ୍ଡାଳ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ଜଗଦଳପୁରରୁ ବିଶାଖାପାଟଣା ଯାଉଥିଲା। ହେଲେ ପାଡୁଆ ଷ୍ଟେଶନ ପୂର୍ବରୁ ଜାଭେଦଙ୍କ ସହ ଟ୍ରେନରେ ଥିବା କେତେକ ଯାତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଜାଭେଦ ପାଡୁଆ ଷ୍ଟେଶନରେ ଓହ୍ଲାଇବା ପାଇଁ ଟ୍ରେନ ଗେଟ୍ ନିକଟରେ ବସି ରହିଥିଲେ। ସେତିକିବେଳେ ପୂର୍ବରୁ ପାଟିତୁଣ୍ଡ କରିଥିବା କେତେକ ଯାତ୍ରୀ ଜାଭେଦଙ୍କ ପାଖକୁ ଆସି ପଛରୁ ଠେଲିଦେଇଥିଲେ। ଜାଭେଦ ଟ୍ରେନରୁ ଖସିପଡିଥିଲେ। ଏଥିରେ ଜାଭେଦଙ୍କ ଏକ ଗୋଡ କଟିଯାଇଥିଲା। ସ୍ଥାନୀୟ କେତେକ ବ୍ୟକ୍ତି ଜାଭେଦଙ୍କୁ ଉଦ୍ଧାର କରି ପ୍ରଥମେ ନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।