ବରଗଡରେ ନକଲି ସାର କାରଖାନା ଠାବ
ପଦ୍ମପୁର: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ଥାନା ଅନ୍ତର୍ଗତ ଜାମମାଲ ଗ୍ରାମରେ ଏକ ନକଲି ସାର କାରଖାନା ଠାବ କରିଛି ପୋଲିସ୍ । ଏଠାରୁ ପୋଲିସ ଏକ ଟାଟା ପିକ୍ ଅପ୍ ଗାଡି, ୬୦ ପକେଟ୍ ଲୁଣ, ୩୪ ପକେଟ୍ ନକଲି ପଟାସ୍ ସାର, ପକେଟ୍ ସିଲ୍ କରିବା ମେଶିନ, ଓଜନ ମାପକ ଯନ୍ତ୍ର ଜବତ କରିଛି। ଏଥିରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ସେମାନେ ହେଲେ, ଗାଇସିଲେଟ ଥାନା ଜାମମାଲ ଗ୍ରାମର ହୃଷିକେଶ ସାହୁ, ବଡସାହାଜବାହାଲ ଗ୍ରାମର ଆକାଶ ସାହୁ, ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଡୁମେରପାଲିର ବିଶ୍ଵାମିତ୍ର ସାହୁ, ବାବୁଲୁ ତରିଆ, ଡୁଙ୍ଗୁରିପାଲି ଥାନା କର୍ଲାଜୁରୀ ଗ୍ରାମର ଭରତ ସାହୁ, ସୁନିଲ ସାହୁ, କାର୍ତ୍ତିକ ସାହୁ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ମହୁଲପାଲିର ସତ୍ୟବାଦୀ ସାହୁ ଏବଂ ଲୋଇସିଂହା ଥାନା ଗଣ୍ଡପାଲି ଗ୍ରାମର ଗୌରାଙ୍ଗ ସାହୁ।
ଏମାନଙ୍କ ମଧ୍ୟରୁ ହୃଷିକେଶ ମୁଖ୍ୟ ଅଭିଯୁକ୍ତ ଏବଂ ସେ ନକଲି ପଟାସ ସାର ପ୍ରସ୍ତୁତ କରି ପକେଟ୍ ପ୍ରତି ୧୨ଶହ ଟଙ୍କା ଦରରେ ଚାଷୀଙ୍କୁ ବିକ୍ରି କରୁଥିଲେ। କେବଳ ସେତିକି ନୁହେଁ, ଏହି ନକଲି ସାର କିଛି ନିର୍ଦ୍ଧିଷ୍ଟ ଲାଇସେନ୍ସପ୍ରାପ୍ତ ସାର ଦୋକାନକୁ ମଧ୍ୟ ଯାଉଥିଲା। ଏଭଳିଭାବେ ଘେଁସ ସ୍ଥିତ ଏକ ଲାଇସେନ୍ସପ୍ରାପ୍ତ ସାର ଦୋକାନକୁ ୧୪୦ ପକେଟ୍ ନକଲି ସାର ଯାଇଥିବା ପରେ ସମ୍ପୃକ୍ତ ସାର ଦୋକାନକୁ ସିଲ୍ କରିବା ସହିତ ଲାଇସେନ୍ସ ରବ୍ଦ ପ୍ରକ୍ରିୟା ଚାଲିଛି ବୋଲି ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ କହିଛନ୍ତି।