ଏପ୍ରିଲ ୩ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ, ନିୟୋଜିତ ହେବେ ୧୩ ହଜାର ଶିକ୍ଷକ

କଟକ : ଆସନ୍ତା ଏପ୍ରିଲ ୩ (ସୋମବାର)ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ। ଏଥିପାଇଁ ୫୬ ଟି କେନ୍ଦ୍ରରେ ଖାତା ଦେଖାର ବ୍ୟବସ୍ଥା କରାଯାଇଥିବାବେଳେ ଏହି ମୂଲ୍ୟାୟନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଆଶ୍ଵସ୍ତି ଏସ୍ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି, ମାଧ୍ୟମିକ ଶିକ୍ଷା ପରିଷଦ ତ୍ରୁଟିଶୂନ୍ୟ ଭାବେ ମୂଲ୍ୟାୟନ ବ୍ୟବସ୍ଥା କରିଛି। ଏଥିସହ ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବ ବୋଲି ସେ ସୂଚନା ଦେଇଛନ୍ତି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରାୟ ୧୩ ହଜାର ଶିକ୍ଷକ ନିୟୋଜିତ ହେବେ । ସେମାନଙ୍କ ମଧ୍ୟରୁ ୧୨ହଜାର ୪ଶହ ଖାତାଦେଖା ପାଇଁ ଓ ମୂଲ୍ୟାୟନ ପ୍ରକ୍ରିୟା ଯାଞ୍ଚ୍‌ ପାଇଁ ପୃଥକ ଭାବେ ଆଉ ୬ ଶହ ଶିକ୍ଷକ ରହିବେ। ମୂଲ୍ୟାୟନ ବ୍ୟବସ୍ଥାରେ ୫୫ ଜଣ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍‌, ୫୫ କ୍ୟାମ୍ପ ଅଫିସର, ୨୨୦ କ୍ୟାମ୍ପସ୍‌ ଆସିଷ୍ଟାଣ୍ଟ୍‌ ଏବଂ ୧୬୫ ଜଣଙ୍କୁ କ୍ୟାମ୍ପ ଆଟେଣ୍ଡାଣ୍ଟ୍‌ ଭାବେ ନିୟୋଜିତ ହେବେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ବୋର୍ଡର ୱେବ୍‌ସାଇଟ୍‌ରୁ ନିଯୁକ୍ତି ପତ୍ର ଡାଉନ୍‌ଲୋଡ୍‌ କରି ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ଶିକ୍ଷକମାନେ ଉପସ୍ଥିତ ରହିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ମୂଲ୍ୟାୟନ ପ୍ରକ୍ରିୟାରେ ଯେପରି କୌଣସି ବିଭ୍ରାଟ ସୃଷ୍ଟି ନହୁଏ ସେଥିଲାଗି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷା ଆଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମୂଲ୍ୟାୟନରେ ଖିଲାପ କରୁଥିବା ଶିକ୍ଷକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଡିଇଓମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

Related Articles

Back to top button