ପୁଣି ପଶ୍ଚିମବଙ୍ଗରେ ହିଂସା: ଟ୍ରେନ ଉପରେ ପଥରମାଡ

କୋଲକାତା: ପଶ୍ଚିମବଙ୍ଗର ହାଓ୍ୱାଡାରେ ହିଂସା ହୋଇଥିଲା। ଏବେ ଏହି ହିଂସାକୁ ନେଇ ବିବାଦ ଉପୁଜିଥିବା ବେଳେ ଗତକାଲି ହୁଗୁଳି ଜିଲ୍ଲାର ରିସରାଠାରେ ଆଉ ଏକ ହିଂସା ଦେଖିବାକୁ ମିଳିଛି। ରିସରା ଥାନାରୁ କିଛି ଦୂରରେ ଥିବା ରେଳ ଫାଟକ ନମ୍ବର ୪ରେ ଏକ ପୋଲିସ୍ ଭ୍ୟାନରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ସ୍ଥାନୀୟ ରେଲଓ୍ବେ ଷ୍ଟେସନରେ ଦୁଇଟି ଟ୍ରେନ୍ ଅଟକି ଥିଲା। ବୋମା ବିସ୍ଫୋରଣର ଶବ୍ଦ ଯୋଗୁଁ ଟ୍ରେନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

ପରେ ଟ୍ରେନ ଉପରକୁ ଇଟା, ପଥର, କାଚ ବୋତଲ ଫିଙ୍ଗିଥିଲେ ଦୁର୍ବୃତ୍ତ। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଏହା ବିଳମ୍ବିତ ରାତିରେ ଘଟିଥିଲା। ଏହି କାରଣରୁ ଟ୍ରେନ୍ ସେବା ୩-୪ ଘଣ୍ଟା ବ୍ୟାହତ ହୋଇଥିଲା। କିନ୍ତୁ ସକାଳ ଠାରୁ ପୁଣିଥିରେ ଟ୍ରେନ୍ ସେବା ସ୍ୱାଭାବିକ ହୋଇଛି। ପୋଲିସ ଏହି ମାମଲାରେ ୩୬ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି।

ଅଭିଯୋଗ ହୋଇଛି ଯେ ଯେଉଁ ସମୟରେ ବୋମା ବିସ୍ପୋରଣ ଓ ପଥର ଫିଙ୍ଗିଥିଲେ ଦୁର୍ବୃତ୍ତ ସେତେବେଳେ ଘଟଣାସ୍ଥଳରେ କୌଣସି ପୋଲିସ ନଥିଲେ। ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ଗୋଟିଏ ପରେ ଗୋଟିଏ ଗାଡିରେ ଆସି ପହଞ୍ଚିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ପ୍ରଥମେ ଲୁହବୁହା ଗ୍ୟାସ ପରେ ଲାଠି ଚାର୍ଜ ପ୍ରୟୋଗ କରିଥିଲା। ଏପରି କରି ଗହଳି ହଟାଇବାକୁ ପ୍ରୟାସ କରିଥିଲା ପୋଲିସ। ଜେଲ ଭ୍ୟାନରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଥିଲା। ପୋଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ କରିବା ସହିତ ସମସ୍ତ ରାସ୍ତାରେ ଖୋଜାଖୋଜି ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ, ରାମନବମୀ ଅବସରରେ ପ୍ରଥମେ ହାଓ୍ୱାଡାରେ ହିଂସା ଦେଖାଦେଇଥିଲା। ଏପରରେ ହୁଗୁଳିରେ ଦେଖାଦେଇଛି। ହିଂସା ପାଇଁ ଉଭୟ ଶାସକ ଓ ବିରୋଧୀ ଟିଏମସି ଏବଂ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି।

Related Articles

Back to top button