ବିଧିବଦ୍ଧ ଭାବେ ନାଟୋର ସଦସ୍ୟ ହେଲା ଫିନଲାଣ୍ଡ

ବ୍ରୁସେଲ୍ସ: ଫିନଲାଣ୍ଡ ମଙ୍ଗଳବାର ବିଧିବଦ୍ଧ ଭାବେ ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ସଦସ୍ୟ ହୋଇଛି । ଏହି ମିଲିଟ୍ରି ଆଲାୟନ୍ସରେ ୩୧ତମ ଦେଶ ଭାବେ ଫିନଲାଣ୍ଡ ସାମିଲ ହୋଇଛି । ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲେନବର୍ଗ ଏହା ଘୋଷଣା କରିଛନ୍ତି । ଅପରପକ୍ଷରେ ନାଟୋରେ ବିସ୍ତାର ନେଇ ରୁସ କ୍ଷୁବ୍ଧ ହୋଇଛି । ଫିନଲାଣ୍ଡ ଏଥିରେ ସାମିଲ ହେବାର ଅର୍ଥ ଆମ ଉପରେ ପରୋକ୍ଷ ଭାବେ ଏହା ଏକ ଆକ୍ରମଣ । ଖୁବ ଶୀଘ୍ର ସ୍ୱୀଡେନ ମଧ୍ୟ ଏଥିରେ ସାମିଲ ହେବ ବୋଲି ଷ୍ଟୋଲେନବର୍ଗ କହିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି । ଏହି ଅବସରରେ ନାଟୋ ହେଡକ୍ୱାର୍ଟରରେ ଫିନଲାଣ୍ଡ ପତାକା ଉଡା ଯାଇଥିଲା । ବର୍ତମାନେ ଏହାର ସୁରକ୍ଷା ଦାୟିତ୍ୱ ଆମର । ଫିନଲାଣ୍ଡ ଉପରେ କୌଣସି ପ୍ରକାରର ପଦକ୍ଷେପର ମାନେ ନାଟୋ ଦେଶର ଉପରେ ଆକ୍ରମଣ ବୋଲି କୁହାଯାଇଛି । ଏବେ ଆମେ କୌଣସି ମତେ ସ୍ୱୀଡେନକୁ ମଧ୍ୟ ଏକୁଟିଆ ଛାଡିବୁ ନାହିଁ ବୋଲି ନାଟୋ ପକ୍ଷରୁ କୁହାଯାଇଛି ।

ଫିନଲାଣ୍ଡ ନାଟୋରେ ସାମିଲ ହେବା ପରେ ଏଥର ଆମେ ଆମର ସୁରକ୍ଷା ନେଇ ପରବର୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି ରୁଷ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ୧୯୪୯ରେ ନାଟୋର ସ୍ଥାପନ କରାଯାଇଥିଲା । ସେ ସମୟରେ ସୋଭିଏଟ ୟୁନିୟନର ପ୍ରଭାବ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ନାଟୋରେ ସାମିଲ ହୋଇଥିବା ଦେଶଗୁଡିକ ହେଲା- ଆମେରିକା, ୟୁକେ, ବେଲଜିୟମ, କାନାଡା, ଡେନମାର୍କ, ଫ୍ରାନ୍ସ, ଆଇସଲାଣ୍ଡ, ଇଟାଲୀ, ପର୍ତୁଗାଲ, ଲକ୍ସମବର୍ଗ, ନରୱେ, ନେଦରଲାଣ୍ଡ, ତୁର୍କୀ, ଗ୍ରୀସ, ପଶ୍ଚିମ ଜର୍ମାନୀ, ସ୍ପେନ, ପୋଲାଣ୍ଡ, ହଙ୍ଗେରୀ, ଚେକ ରିପବ୍ଲିକ, ବୁଲଗେରିୟା, ଲାଟାଭିଆ, ଲିଥୁୟାନିୟା, ଏସ୍ତୋନିଆ, ରୋମାନିଆ, ସ୍ଲୋଭାକିଆ, ସ୍ଲୋଭେନିଆ, ଆଲବେନିୟା, କ୍ରୋଏସିଆ, ମୋଟେଂନଗ୍ରୋ, ଉତରୀ ମ୍ୟାସିଡୋନିଆ ଓ ଫିନଲାଣ୍ଡ ।

Related Articles

Back to top button