ହିଂସା ନେଇ ପଶ୍ଚିମବଙ୍ଗ ସରକାରଙ୍କଠାରୁ ୩ ଦିନ ମଧ୍ୟରେ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାମନବମୀ ଅବସରରେ ଘଟିଥିବା ହିଂସାକାଣ୍ଡ ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଙ୍ଗଳବାର ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଛି କେନ୍ଦ୍ର ସରକାର। ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ଘଟିଥିବା ହିଂସାକାଣ୍ଡକୁ ଖୁବ ଗୁତୁତ୍ୱର ସହ ନେଇଛନ୍ତି । ଏହି କ୍ରମରେ ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ୩ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛି।

ସୂଚନାଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ବଙ୍ଗଳାରେ ହିନ୍ଦୁମାନଙ୍କୁ ଲଗାତାର ଆକ୍ରମଣ ଓ ଅତ୍ୟାଚାର କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ଯାହାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମମତା ସରକାରକୁ ରିପୋର୍ଟ ତଲବ କରିଛି।

ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ମୀମାନେ ଦଙ୍ଗା କରିବା ଲକ୍ଷ୍ୟ ନେଇ ବାହାରୁ ଭଡ଼ାଟିଆ ଗୁଣ୍ଡା ଆଣିଥିଲେ । ମମତା କହିଛନ୍ତି ଏମାନେ ହିନ୍ଦୁ ଧର୍ମକୁ ଦୂଷିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମମତା  କହିଛନ୍ତି, ମୁଁ ଏମାନଙ୍କୁ ନା ହିନ୍ଦୁ କହିବି ନା ମୁସଲମାନ । ଯିଏ ହତିଆର, ବନ୍ଧୁକ ଧରି ଚାଲନ୍ତି , ଲୋକଙ୍କୁ ମାରନ୍ତି ଏବଂ ସେମାନଙ୍କ ଘରେ ନିଆଁ ଲଗାନ୍ତି ସେମାନେ କେବଳ ବିଜେପିର ଗୁଣ୍ଡା ହୋଇପାରନ୍ତି । ସେ ଆହୁରି କହିଛନ୍ତି, ବାମ(ଲେଫ୍ଟ ଫ୍ରଣ୍ଟ୍) ଏବଂ ରାମ (ବିଜେପି) ଆମ ବିରୋଧରେ ହାତ ମିଳାଇଛନ୍ତି । ସେ କହଛନ୍ତି, ପଶ୍ଚିମବଙ୍ଗରେ ଅନ୍ୟ ଧର୍ମର ଉତ୍ସବ ପାଳନ କରାଯାଏ । କିନ୍ତୁ କୌଣସି ଉତ୍ସବରେ ହିଂସାକାଣ୍ଡ ଘଟେନି । ରାମଙ୍କ ନାଁ ନେଇ ଏମାନେ ହିନ୍ଦୁଙ୍କୁ ନିଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ; ଗତ ଗୁରୁବାର ଦିନ ହାଓ୍ବଡାରେ ରାମ ନବମୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀର ଲୋକ ଗାଡ଼ିମଟରରେ ନିଆଁ ଲଗାଇବା ସହ‌ ପଥରମାଡ଼, ଦୋକାନ ଭଙ୍ଗାରୁଜା କରିଥିଲେ । ତେବେ ଏତିକିରେ ଥମିନଥିଲା ହିଂସା, ହାୱଡା ପରେ ରବିବାର ହୁଗଳିରେ ବି ହିଂସା ଘଟିଥିଲା । ଏହାପରେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ସହ କଥା ମଧ୍ୟ ହୋଇଥିଲେ । ଏହି ବାର୍ତ୍ତାଳାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ହିଂସା ଏବଂ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅମିତ ଶାହାଙ୍କୁ ବିସୃତ ଭାବରେ ଅବଗତ କରାଇଥିଲେ।

Related Articles

Back to top button