ଟ୍ରମ୍ପଙ୍କ ବିରୋଧରେ ୩୪ଟି ସଙ୍ଗୀନ ମାମଲା: ହୋଇପାରେ ୧୩୬ ବର୍ଷ ଜେଲ
ନ୍ୟୁୟର୍କ: ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଗିରଫ ହୋଇ ଜାମିନରେ ଆସିଥିଲେ ବି ବିପଦ ଟଳିନି । ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଦି ହୋଇପଡୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖାଲି ପର୍ଣ୍ଣ ଷ୍ଟାରଙ୍କ ମୁହଁ ବନ୍ଦ ରଖିବା ମାମଲା ନୁହେଁ, ଟ୍ରମ୍ପଙ୍କ ବିରୋଧରେ ପଛକୁ ପଛ ଯୋଡି ହୋଇଛି ୩୪ଟି ସଙ୍ଗୀନ ମାମଲା । ଏହି ସବୁ ମାମଲାର ଶୁଣାଣି ମଙ୍ଗଳବାର ମ୍ୟାନହଟ୍ଟନ କୋର୍ଟରେ ହୋଇଥିଲା । ଅବଶ୍ୟ ଟ୍ରମ୍ପ କହି ଆସୁଛନ୍ତି ସେ ନିର୍ଦ୍ଦୋଷ ବୋଲି । ତାଙ୍କୁ ଜାଣିଶୁଣି ଫସାବାକୁ ଚେଷ୍ଟା କରାଯାଉଛି । ୨୦୨୪ ନିର୍ବାଚନରେ ସେ ଯେମିତି ଭାଗ ନେଇ ପାରିବେ ନାହିଁ ସେଥିପାଇଁ ତାଙ୍କ ବିରୋଧରେ ଏପରି ଷଡଯନ୍ତ୍ର କରାଯାଉଛି ।
ଟ୍ରମ୍ପକୁ କୋର୍ଟ ପକ୍ଷରୁ ଚେତାବନୀ ଦିଆଯାଇଛି, ସେ ସୋସିଆଲ ମିଡିଆରେ କିଛି ବି କହିପାରିବେନି । କୋର୍ଟ କହିଛନ୍ତି, ଯଦି ଟ୍ରମ୍ପ ନିୟମ ଭାଙ୍ଗିବେ, ତେବେ ସର୍ବସାଧାରଣରେ କିଛି ଲେଖିବା-କହିବା ଉପରେ ପ୍ରତିବନ୍ଧକ ଲାଗୁ କରାଯିବ । ଅବଶ୍ୟ ଏହାକୁ ନେଇ ଟ୍ରମ୍ପଙ୍କ ସମର୍ଥକ ସ୍ୱର ଉଠାଇଛନ୍ତି ।