ଏସସିବିରେ ଏକମୋ ମେସିନ ସପୋର୍ଟରେ ବିରଳ ଅପରେସନ
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ଏକମୋ ମେସିନ ସପୋର୍ଟରେ ହୋଇଛି ଅପରେସନ୍ । କଟକ ବଡ଼ ଡାକ୍ତରଖାନା ବା ଏସସିବିରେ ଏକମୋ ସପୋର୍ଟରେ ଏହି ବିରଳ ଅପରେସନ ହୋଇଛି । ଏକ୍ମୋ ସହାୟତାରେ ଏକ ଜଟିଳ ଅସ୍ତ୍ରୋପଚାର କାର୍ଡିଓ ଥୋରାସିସ୍- ବିଭାଗର ଡାକ୍ତରଙ୍କ ଦ୍ୱାରା କରାଯାଇଛି । ଦେବଗଡ଼ ଜିଲ୍ଲାର ୨୧ ବର୍ଷୀୟ ଯୁବକ ରିଙ୍କୁ ଲୋହାରଙ୍କ ଶ୍ୱାସନଳୀରେ ହୋଇଥିବା ଜଟିଳ ଟ୍ୟୁମର କାଢ଼ିବାରେ ଡାକ୍ତରୀ ଦଳ ସଫଳ ହୋଇଛନ୍ତି । ଏଭଳି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି ।
ସୂଚନା ମୁତାବକ, ଶ୍ୱାସନଳୀରେ ଟ୍ୟୁମରା ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । କିନ୍ତୁ ଏକମୋ ମେସିନ୍ ସହାୟତାରେ ଯୁବକଙ୍କ ଟ୍ୟୁମର ବାହାର କରାଯାଇଛି । ପ୍ରଥମଥର ଏକମୋ ମେସିନ ସପୋର୍ଟରେ ଅପରେସନ୍ କରି ଡାକ୍ତରମାନେ ସଫଳତା ପାଇଛନ୍ତି । ଏକ୍ମୋ ଯନ୍ତ୍ର ସହାୟତାରେ ଫୁସ୍ଫୁସ୍କୁ ବାହାରକୁ କଢ଼ାଯାଇ ଅମ୍ଳଜାନ ଯୋଗାଇ ଦିଆଯିବା ପରେ ଟ୍ୟୁମର ଅସ୍ତ୍ରୋପଚାର କରାଯାଇଥିଲା ।
ପ୍ରକାଶ ଯେ ଦେବଗଡ଼ ବାରକୋଟ ଦଣ୍ଡାସିଂଘାର ୨୧ ବର୍ଷ ବୟସ୍କ ରିଙ୍କୁ ଲୋହରାଙ୍କ ଶ୍ୱାସନଳୀରେ ଟ୍ୟୁମର୍ ବୃଦ୍ଧି ପାଇଥିଲା। ଫଳରେ ସେ ନିଃଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିଲେ। ମାର୍ଚ୍ଚ ୨୯ ତାରିଖରେ ପ୍ରଥମେ ସେ ପ୍ଲୁମ୍ନାରୀ ମେଡ଼ିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ। ଶ୍ୱାସନଳୀରେ ଟ୍ୟୁମର୍(ଟ୍ରିକିଆ) ଥିବା ଜଣାପଡ଼ିବା ପରେ ଗତ ୫ ତାରିଖ ତାଙ୍କୁ କାର୍ଡିଓଥୋରାସସ୍ (ସିଟିଭିଏସ୍) ବିଭାଗରେ ଭର୍ତ୍ତି କରାଯାଇଥିଲା। ଏହାପରେ ଏକ୍ମୋ ମେସିନ୍ ସହାୟତାରେ ଫୁସ୍ଫୁସ୍ ବାହାରକୁ କଢ଼ାଯାଇ ଅମ୍ଳଜାନ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରୋପଚାର ଦ୍ୱାରା ଡାକ୍ତରମାନେ ସଫଳତାର ସହ ଟ୍ୟୁମର୍ କାଢ଼ିବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନ ରୋଗୀଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଓଡ଼ିଶାରେ ଏଭଳି ରୋଗୀଙ୍କର କୌଣସି ଚିକିତ୍ସା ସମ୍ଭବପର ହେଉ ନ ଥିବା ଜଣାଯାଇଛି। ସିଟିଭିଏସ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ଡାକ୍ତର ଚିତ୍ତରଞ୍ଜନ ଥଟୋଇ, ଡାକ୍ତର ଦେବାଶିଷ, ଡାକ୍ତର ସୁବ୍ରତ ଓ ଟିମ୍ ଏସ୍ସିବିରେ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ।