ଭିଡିଓକନ୍ ଋଣ ମାମଲା: କୋଚର ଦମ୍ପତି, ବେଣୁ ଗୋପାଳ ଧୁତ୍ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୩୨୫୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ସିବିଆଇ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର, ତାଙ୍କ ସ୍ବାମୀ ଦୀପକ କୋଚର ଓ ଭିଡିଓକନ୍ ଗ୍ରୁପ୍ର ପ୍ରତିଷ୍ଠାତା ବେଣୁ ଗୋପାଳ ଧୁତ୍ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ବି (ଅପରାଧିକ ଷଡ଼୍ଯନ୍ତ୍ର), ୪୦୯ (ଅପରାଧିକ ବିଶ୍ବାସ ଭଙ୍ଗ) ଭଳି ଧାରା ଲଗାଯାଇଛି। ଚାର୍ଜସିଟ୍ରେ ବ୍ୟକ୍ତି ଓ ସଂସ୍ଥା ଭାବେ ନଅଟି ନାମ ରହିଛି। ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟରେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି।
ଗତବର୍ଷ ଡିସେମ୍ବରରେ ସିବିଆଇ ପକ୍ଷରୁ କୋଚ୍ଚର ଦମ୍ପତି ଓ ଧୁତ୍ଙ୍କୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଜାନୁଆରି ୯ରେ ବମ୍ବେ ହାଇକୋର୍ଟ କୋଚର ଦମ୍ପତିଙ୍କୁ ଜାମିନ ଦେଇଥିଲେ ଓ ଏହି ଗିରଫଦାରୀ ଅତ୍ୟନ୍ତ ଖାମଖିଆଲି ଥିଲା ଓ କେହି ମୁଣ୍ଡ ଖର୍ଚ୍ଚ କରିନଥିବା କହି ସିବିଆଇ ଉପରେ କୋର୍ଟ ବିରକ୍ତ ହୋଇଥିଲେ। ଗିରଫ କରିବା ପୂର୍ବରୁ କୋଚର ଦମ୍ପତିଙ୍କ ପାଖକୁ ପୁଲିସ ନୋଟିସ୍ ପଠାଯାଇଥିଲା। ଏହିଭଳି ଅନେକ ଭୁଲ ଏହି ମାମଲାରେ ହୋଇଥିଲା।
ସିବିଆଇ ଅଭିଯୋଗ କରିଥିଲା ଯେ ବେଣୁଗୋପଳ ଧୁତ୍ଙ୍କ ଭିଡିଓକନ୍ ଗ୍ରୁପ୍କୁ ଚନ୍ଦାଙ୍କ ଅମଳରେ ଆଇସିଆଇସିଆଇ ବ୍ୟାଙ୍କ ଦେଇଥିବା ଋଣ ବେଳେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା। ଏଥିରେ କିକ୍ବ୍ୟାକ୍ କାରବାର ହୋଇଥିଲା। ଋଣ ପାଇଥିବା ଭିଡିଓକନ୍ର ମୁଖ୍ୟ ଶ୍ରୀ ଧୁତ୍ ୬୪ କୋଟି ଟଙ୍କା ଚନ୍ଦାଙ୍କ ସ୍ବାମୀ ଦୀପକଙ୍କ କଂପାନି ନ୍ୟୁ ପାୱାର ରିନୁଏବଲ୍ସରେ ଲଗାଇଥିଲେ। ଆଗୁଆ ଗୋପନୀୟ ଭାବେ ସେହି କାରବାର ହୋଇଥିଲା ଓ ତା’ପରେ ଋଣ ମଞ୍ଜୁର ହୋଇଥିଲା ବୋଲି ଅଭିଯୋଗ ରହିଛି।