ନକଲି ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚ ସ୍କାନର୍ରେ ସରକାରୀ ଚାକିରିଆ ଓ ଦଲାଲ
ବଲାଙ୍ଗୀର : ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଏପ୍ରିଲ ୧ ତାରିଖରୁ ବଲାଙ୍ଗୀରରେ ଡେରା ପକାଇ ଟିମ୍ ତନାଘନା ଜାରି ରଖିଥିବା ବେଳେ ଏବେ ମାମଲାରେ ୨୦୦ରୁ ଅଧିକ ବ୍ୟକ୍ତି ସ୍କାନର୍ରେ ଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ସ୍କାନର୍ରେ ଥିବା ୨୦୦ରୁ ଅଧିକଙ୍କ ଭିତରେ ସରକାରୀ ଚାକିରିଆ ଓ ଦଲାଲ ରହିଛନ୍ତି। ରାକେଟରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ରବିବାର ସକାଳୁ ସକାଳୁ କ୍ରାଇମବ୍ରାଞ୍ଚ୍ର ଏକ ଟିମ୍ ତିନିଜଣ ଯୁବକଙ୍କୁ ଉଠାଇ ଆଣିଥିଲେ। ସେମାନଙ୍କୁ ରିଜର୍ଭ ବାରାକ୍ ଭିତରେ ରଖି ଘନଘନ ଜେରା କରିଥିଲେ। ଅନ୍ୟପଟେ ଡିଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଟାଉନ ଥାନାକୁ ଯାଇ ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏକ ବ୍ଲୁ’ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହାପରେ ଏକ ପାଞ୍ଚ ଜଣିଆ ଟିମ୍ ସିଧାସଲଖ ମନୋଜ ମିଶ୍ରଙ୍କ ରିଲାଏନ୍ସ କୋଚିଂ ସେଣ୍ଟରକୁ ଯାଇ ପୁଣିଥରେ ଛାନଭିନ କରିଥିଲେ। ପୁଲିସ ଆଗରୁ କୋଚିଂ ସେଣ୍ଟରରେ ଚଢ଼ଉ କରି ଅନେକ ଜିନିଷପତ୍ର ଜବତ କରିଥିଲା। ଆଜି କ୍ରାଇମବ୍ରାଞ୍ଚ ଟିମ୍ ଆଉ କିଛି ଷ୍ଟାମ୍ପ୍ ଓ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ତିନିଦିନିଆ ରିମାଣ୍ଡ ସମୟରେ ମନୋଜଙ୍କ ସୂଚନା ଆଧାରରେ ଏହି ଜିନିଷପତ୍ର ଜବତ କରାଯାଇଥିବା ଅନୁମାନ କରାଯାଉଛି। ଏଥିସହିତ, ରିମାଣ୍ଡରେ ଥିବା ଚାରିଜଣ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ମନୋଜ ମିଶ୍ରଙ୍କ ଜାଲ୍ କାରବାରରେ ପୂରା ନକ୍ସା ବାହାର କରିଥିବା ଜଣାପଡ଼ିଛି।
ଏସମ୍ପର୍କରେ ଡିଏସ୍ପି ଦେବବ୍ରତ ଚକ୍ର କହିଛନ୍ତି, ମାମଲାର ତଦନ୍ତ ଚାଲୁଛି। ସ୍କାନରରେ ବହୁ ଅଛନ୍ତି। ଆଗକୁ ଗିରଫଦାରୀ ବଢ଼ିବ।
ଅନ୍ୟପକ୍ଷରେ, ଅଭିଯୁକ୍ତ ମନୋଜଙ୍କ ସମ୍ପର୍କରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ଛୋଟ କୋଚିଂ ସେଣ୍ଟର କରି ସେଠାରେ ପିଲାଙ୍କୁ ଟିଉସନ ପଢ଼ାଉଥିଲେ ମନୋଜ। ଧୀରେ ଧୀରେ କୋଚିଂ ସେଣ୍ଟର୍ରେ ପିଲାଙ୍କ ସଂଖ୍ୟା ବଢ଼ିଥିଲା। ଆଉ ଦଶବର୍ଷ ତଳେ ଡିଷ୍ଟାନ୍ସ କୋର୍ସ ଆରମ୍ଭ କରିଥିଲେ। ପରେ ପରେ ଗାଁ ଓ ସହରରେ ବିଭିନ୍ନ ଦଲାଲ ନିଯୁକ୍ତ କରିଥିଲେ। ପିଲାଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ନେଇ ସାର୍ଟିଫିକେଟ ଦେଉଥିଲେ। ହେଲେ, ଏହି ବେପାରରେ ସେ ନକଲି ସାର୍ଟିଫିକେଟ ଦେଉଥିବା ବହୁଲୋକ ଜାଣିପାରୁନଥିଲେ। ଯେଉଁମାନେ ଜାଣୁଥିଲେ, ସେମାନେ ବି ଟଙ୍କା ଲୋଭରେ ତୁନି ରହୁଥିଲେ। ଦଶବର୍ଷ ଧରି ହଜାର ହଜାର ପିଲା ନକଲି ସାର୍ଟିଫିକେଟ ଓ ମାର୍କସିଟ ନେଇ ବିଭିନ୍ନ ବିଭାଗରେ ସରକାରୀ ଚାକିରି ହାତେଇଥିବା ଜଣାପଡ଼ିଛି। ଯାହଫଳରେ ବହୁ ମେଧାବୀ ବାଦ୍ ପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ରାଜ୍ୟ ବାହାରେ ୪୨ଟି ବିଶ୍ୱବିଦ୍ୟାଳୟ, ସ୍କୁଲ, କଲେଜର ସାର୍ଟିଫିକେଟ ଓ ମାର୍କସିଟ ନକଲି ତିଆରି କରୁଥିଲେ। କେବଳ ଏତିକି ନୁହେଁ, ବିଭିନ୍ନ ଜାଗାରେ ପିଲାଙ୍କୁ ଚାକିରି କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ଏସବୁ ପ୍ରକାର ତଥ୍ୟ ପ୍ରମାଣ ମିଳିଥିବା କ୍ରାଇମବ୍ରାଞ୍ଚ କହିଛି।