ସରକାର ବିରୋଧରେ ଦିନିକିଆ ଅନଶନ କଲେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ
ଜୟପୁର : ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ ବିବାଦ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କୁହୁଳୁଥିବା ବିବାଦ ଏବେ କଂଗ୍ରେସ ମୁଣ୍ଡବ୍ୟଥାର କାରଣ ହୋଇଛି ।
ପାଇଲଟ ମଙ୍ଗଳବାର ଦିନ ଅଶୋକ ଗେହଲଟ ସରକାର ବିରୋଧରେ ଦିନିକିଆ ଅନଶନ କରିଥିଲେ । ଅନଶନ ପରେ ସଚିନ ପାଇଲଟ କହିଛନ୍ତି, ମୁଁ କେବଳ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଦେଶ୍ୟରେ ଅନଶନ କରିଥିଲି। ଯଦି ସଂଗଠନରେ କୌଣସି ସମସ୍ୟା ଥାଆନ୍ତା, ତେବେ ମୁଁ ସଂଗଠନ ସହ କଥା ହୋଇଥାନ୍ତା। ବର୍ଷେ ଧରି ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରି ଆସୁଥିଲି। ଦୁର୍ନୀତି ବିରୋଧରେ ଆମର ଲଢ଼େଇ ଜାରି ରହିବ। ଆମର ସଂଘର୍ଷ ଜାରି ରହିବ।
ମତଭେଦ କଥା ସେ ଖୋଲାଖୋଲି କହିନଥିଲେ ବି ସେ ଏହି ଅନଶନ କରି ହାଇକମାଣ୍ଡକୁ ସଂକେତ ଦେଇଥିବା କୁହାଯାଉଛି । ଆହୁରି ମଧ୍ୟ ଅନଶନ ସ୍ଥାନରେ ସେ କଂଗ୍ରେସର ଚିହ୍ନ, ସୋନିଆ, ରାହୁଲଙ୍କ ଫଟୋ ମଧ୍ୟ ଲଗାଇନଥିଲେ ।
ସଚିନ ପାଇଲଟ କହିଛନ୍ତି, ସୁଖଜିନ୍ଦର ସିଂହ ରନ୍ଧାୱା କିଛି ଦିନ ତଳେ ଦାୟିତ୍ୱରେ ଅଛନ୍ତି। ମୁଁ ପୂର୍ବତନ ପ୍ରଭାରୀମାନଙ୍କ ସହ ମଧ୍ୟ କଥା ହୋଇଥିଲି, କିନ୍ତୁ ଏହି ଦୁର୍ନୀତି ମାମଲା ଏବେ ବି ରହିଛି। ଦୁର୍ନୀତି ବିରୋଧରେ କହିବା ଦରକାର। ଦୁର୍ନୀତି ବିରୋଧରେ ଆମର ଲଢ଼େଇ ଜାରି ରହିବ।
ବସୁନ୍ଧରାରାଜେ (ବିଜେପି) ସରକାର ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ ଅଶୋକ ଗେହଲୋଟ ସରକାର କରୁନଥିବା ଅଭିଯୋଗ କରି ସେ ଏହି ଅନଶନ କରିଥିଲେ ।