୧୬ ତାରିଖ ଯାଏ ସାରା ରାଜ୍ୟରେ ସ୍କୁଲ ଛୁଟି
ଭୁବନେଶ୍ୱର: ବଢୁଥିବା ତାପମାତ୍ରା ଏବଂ ଆଇଏମଡି ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ଆକଳନ କରିବା ପରେ ଆଜିଠୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତକାଲିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା। କିନ୍ତୁ ବଢୁଥିବା ତାପମାତ୍ରାକୁ ଦେଖି ରାଜ୍ୟ ସରକାର ୧୬ ତାରିଖ ଯାଏ ସ୍କୁଲ ଗୁଡିକୁ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ. ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏବଂ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ଥିବାରୁ ୧୩, ୧୪ ଏବଂ ୧୫ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆକଳନ ହୋଇଛି।