ଓଡ଼ିଶାରୁ ଠାବ ହେଲା ଏକ ନୂଆ ପ୍ରଜାତିର ମାଛ
ଭୁବନେଶ୍ୱର: ନିକଟରେ କୋରାପୁଟ ସ୍ଥିତ ସେଣ୍ଟ୍ରାଲ ୟୁନିଭରସିଟି ଅଫ୍ ଓଡ଼ିଶା (ସିଇଓ)ର ଅଧ୍ୟୟନକାରୀମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ସେଣ୍ଟ୍ରାଲ ୟୁନିଭରସିଟି ଅଫ୍ ଓଡ଼ିଶା ଏବଂ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜେଏଏସଆଇ)ର ବୈଜ୍ଞାନିକଙ୍କ ମିଳିତ ପ୍ରୟାସରେ ଏକ ନୂଆ ପ୍ରଜାତିର ମାଛ ଠାବ କରାଯାଇଛି । କୋରାପୁଟ ଜିଲ୍ଲାର ଘାଟଗୁଡ଼ା ନିକଟରେ ପ୍ରବାହିତ କୋଲାବ ନଦୀରୁ ଏହି ମାଛକୁ ସନ୍ଧାନ କରାଯାଇଛି ।
ତେବେ ଠାବ କରାଯାଇଥିବା ମାଛ ଏକ ମଧୁର ମାଛ ଓ ଏହାକୁ ମଣିଷ ଖାଦ୍ୟ ଭାବେ ଗ୍ରହଣ କରିପାରିବ ବୋଲି ରିସର୍ଚ୍ଚରମାନେ ମତବ୍ୟକ୍ତ କରିଛନ୍ତି । ଏହି ନୂଆ ପ୍ରଜାତିର ମାଛର ନାମ ‘ଗେରା ଲାଇଶ୍ରାମି’ ରଖାଯାଇଛି । ଏହି ବିରଳ ମାଛର ସନ୍ଧାନ ମିଳିବା ପରେ ଏହା ଓଡ଼ିଶାର ଉକ୍ରୃଷ୍ଟ ଜୈବ ବିବିଧତାର ପରିଚୟ ଦେଉଛି । ସାଧାରଣ ଭାବେ ଏହି ପ୍ରଜାତିର ମାଛ ଦକ୍ଷିଣ ଏସିଆ, ମଧ୍ୟ ପ୍ରାଚ୍ୟ ଏସିଆ, ଆରବ ପେନିନସୁଲା, ପୂର୍ବ ଆଫ୍ରିକା, ଚୀନର ବୋର୍ନେଓ ଆଦି ଜଳରାଶିରେ ଦେଖାଯାଇଥାନ୍ତି । ଭାରତର ଉପମହାଦ୍ୱୀପରେ ଦେଖାଯାଉଥିବା ମାଛଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି । ତେବେ ଆଗକୁ ଆହୁରି ନୂଆ ପ୍ରଜାତିର ଆବିଷ୍କାର କରିବା ନେଇ ଗବେଷକମାନେ ଆଶାବାଦୀ ରହିଥିବା ଜଣାପଡ଼ିଛି ।