ଝାରସୁଗୁଡା ଉପନିର୍ବାଚନ: ଆଜି ବିଶାଳ ରାଲିରେ ଯାଇ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା: କଂଗ୍ରେସ, ବିଜେପି ପରେ ଆଜି ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ସବ କଲେକ୍ଟର ଅଫିସରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପୂର୍ବରୁ ସକାଳୁ ସକାଳୁ  ପାଟଣେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତିି ଦୀପାଳି ।  ଏହି ଅବସରରେ ଶାସକ ବିଜେଡି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟାେଜନ କରାଯାଇଛି ।

ଆଜି ନାମାଙ୍କନ ଦାଖଲବେଳେ ଶକ୍ତି ପ୍ରଦର୍ଶନ  ଶୋଭାଯାତ୍ରାରେ ୬ ଜଣ ମନ୍ତ୍ରୀ ଏବଂ ବରିଷ୍ଠ ନେତମାନେ ସାମିଲ ହୋଇ ଦୀପାଳିଙ୍କୁ ଉତ୍ସାହିତ କରିଛନ୍ତି । ଏହା ବ୍ୟତୀତ ନିର୍ବାଚନମଣ୍ଡଳୀ ଅଞ୍ଚଳର ଲୋକଙ୍କୁ ଆଣି ବଡ଼ ଶୋଭାଯାତ୍ରାର ଆୟାେଜନ କରାଯାଇଛି । ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ସମେତ ବ୍ରଜରାଜନଗର, ରେଙ୍ଗାଲି, ସୁନ୍ଦରଗଡ଼, କୁଚିଣ୍ଡା, ସମ୍ବଲପୁର ଆଦି ଆଖପାଖ ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗଦେଇଛନ୍ତି । ମନମୋହନ ସ୍କୁଲ ପଡ଼ିଆରୁ ଶୋଭାଯାତ୍ରା ବାହାରିଥିଲା।

କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏହା ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରି ସାରିଲେଣି । ନାମାଙ୍କନ ପତ୍ର ଦାଖଲ ଅବସରରେ ଉଭୟେ ବିଜେପି ଏବଂ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଓ ଶାେଭାଯାତ୍ରାର ଆୟାେଜନ କରାଯାଇଥିଲା । ଏପ୍ରିଲ ୨୦ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଏବଂ ଏପ୍ରିଲ ୨୪ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ସୂଚନାଯୋଗ୍ୟ , ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଲଢିବେ । ଏ ନେଇ ଦଳ ପକ୍ଷରୁ  ତାଙ୍କର ନାଁ ଘୋଷଣା କରାଯାଇଥିଲା ।  ସେ ଗତ ୧୫ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ଆଣିଥିଲେ ।

Related Articles

Back to top button