ରାଜ୍ୟରେ ଇଦ୍‍ ଉଲ୍‍ ଫିତର ପର୍ବ ପାଳିତ: ମସଜିଦ୍‍ ଓ ଇଦ୍‍ଗାହ ମଇଦାନରେ ସମୂହ ନମାଜ ପାଠ

ଭୁବନେଶ୍ୱର: ଆଜି ଇଦ୍‍ ଉଲ୍‍ ଫିତର। ଇସଲାମ ଧର୍ମରେ ଆଜିର ଦିନକୁ ବଳିଦାନର ଦିନ ବୋଲି କୁହାଯାଏ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜ ଟୁଇଟ୍‍ ବାର୍ତ୍ତାରେ ଲେଖିଛନ୍ତି, ଇଦ୍‍ର ଶୁଭ ଉତ୍ସବ ସମସ୍ତଙ୍କ ମଧ୍ୟରେ ଏକତା, ଶାନ୍ତି ଓ ସୌହାର୍ଦ୍ଦ୍ୟ ବିସ୍ତାର କରୁ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଦ୍‍ ଅବସରରେ ଶୁଭେଚ୍ଛା ଜଣାଇ ଆଲ୍ଲା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଆଣନ୍ତୁ ତଥା ଦୟା ଓ ପ୍ରେମ ପଥରେ ଆଗେଇ ନିଅନ୍ତୁବୋଲି କାମନା କରିଛନ୍ତି।

ରାଜ୍ୟର ସମସ୍ତ ମସଜିଦ୍‍ ଓ ଇଦ୍‍ଗାହ ମଇଦାନରେ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଛି । ମୁସଲମାନ ଭାଇଭଉଣୀମାନେ ପରସ୍ପରକୁ ଇଦ୍‍ ମୁବାରକ ଜଣାଇବା ଦେଖିବାକୁ ମିଳିଛି । ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ଓ ଅତିଥିମାନଙ୍କ ଆଗମନ ଓ ଜ୍ଞାତି କୁଟୁମ୍ବଙ୍କ ମଧ୍ୟରେ ଉପହାର ଆଦାନ ପ୍ରଦାନ ହେଉଛି । ଭଦ୍ରକ ଜିଲ୍ଲାର ଧାମନଗର ସମେତ ଜିଲ୍ଲାର ବିଭିନ୍ନ ମସଜିଦ୍‍ରେ ଇଦ୍‍ ଉଲ୍‍ ଫିତର ମହାସମାରୋହରେ ପାଳିତ ହୋଇଛି। କୁଆଁର ଗ୍ରାମସ୍ଥିତ ଇଦ୍‍ଘା ମସଜିଦ୍‍ଠାରେ ହଜାର ହଜାର ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଯୋଗଦେଇ ସାମୂହିକ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‍ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ନବରଙ୍ଗପୁର ଜିଲ୍ଲାର ଉମରକୋଟ, ପାପଡ଼ାହାଣ୍ଡି, ଚନ୍ଦାହାଣ୍ଡି, ଜଟାବାଲ ଓ ତାରା ଗାଁ ଠାରେ ଥିବା ମସଜିଦ୍‍ ଗୁଡ଼ିକରେ ସୂମହ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲାର ଜୟପୁର, କୋଟପାଡ଼, ନନ୍ଦପୁର ଆଦି ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଲୋକେ ନମାଜ ପାଠ କରିବା ସହ ଭାଇଚାରା ଓ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍‍ ଉଲ୍‍ ଫିତର ପର୍ବ ପାଳନର ଖବର ଆମର ହସ୍ତଗତ ହେବାରେ ଲାଗିଛି।

Related Articles

Back to top button