ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ ଆସିଲା, ମୃତ୍ୟୁ ପୂର୍ବରୁ ଆଲୋକହଲ ସେବନ କରିଥିଲେ
ସମ୍ବଲପୁର: ଆସିଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ । ମୃତ୍ୟୁ ପୂର୍ବରୁ ଚିନ୍ମୟୀ ଆଲକୋହଲ ସେବନ କରିଥିବା ଏହି ରିପୋର୍ଟରୁ ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସମ୍ବଳପୁର ଏସପି ବି. ରଙ୍ଗାଧର ।
ଏସପିଙ୍କ କହିବା ଅନୁଯାୟୀ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଚିନ୍ମୟୀ ଇଥାଇଲ ଆଲକୋହଲ ସେବନ କରିଥିଲେ । ଚିନ୍ମୟୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ଆଲକୋହଲ ସେବନ କରୁଥିବା ସିସିଟିଭି ଫୁଟେଜ ମଧ୍ୟ ରହିଛି । ଏହା ପୂର୍ବରୁ ବ୍ୟବଚ୍ଛେଦ ରିପୋର୍ଟରୁ ଚିନ୍ମୟୀଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଥିବା କୁହାଯାଇଥିଲା । କିନ୍ତୁ ଏହା ଆତ୍ମହତ୍ୟା ନା ହତ୍ୟା ନା କେହି ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସପି ବି. ରଙ୍ଗାଧର ।
ସୂଚନାଥାଉ କି, ଭିସୁଟର ପୂର୍ବତନ ଛାତ୍ରୀ ତଥା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଚିନ୍ମୟୀଙ୍କର ଗତ ଫେବୃୟାରୀ ୨୮ ତାରିଖରେ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ସେ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବେଳେ ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ ମୃତ୍ୟୁ ପଛରେ ତାଙ୍କର ପୁରୁଷ ପ୍ରୀତିମାନ ଦେଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ମୃତ ଚିନ୍ମୟୀଙ୍କ ବାପା ପେଶାରେ ଜଣେ ଡାକ୍ତର। ଝିଅର ବେକରେ ଥିବା କଳା ଦାଗ ହତ୍ୟାର ଚିହ୍ନ ବୋଲି ସେ ଦାବି କରିଥିଲେ । ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇ ଡିଟେକ୍ସନ୍ କରିଥିଲା । ତେବେ କାହାକୁ ଗିରଫ କରାଯାଇ ନ ଥିଲା ।