ଓଡ଼ିଶାରେ ହେଉଛି ସର୍ବାଧିକ ସିଜରିଆନ୍ ଡେଲିଭରି, ମେ’ରୁ ହେବ ସି ସେକ୍ସନ ଅଡିଟ୍
ଭୁବନେଶ୍ୱର: ଦେଶରେ ସର୍ବାଧିକ ସିଜରିଆନ୍ ଓଡ଼ିଶାରେ ହେଉଛି। ଯାହା ଆବଶ୍ୟକତାଠୁ ଅଧିକ। ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ନିୟନ୍ତ୍ରଣ କରିବାକୁ ଯାଇ ଘରୋଇ ଡାକ୍ତରଖାନାରେ ସିଜେରିଆନ୍ ଡେଲିଭରି (ସି-ସେକ୍ସନ)ର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ-୪ ତଥ୍ୟ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଘରୋଇ ହସ୍ପିଟାଲରେ ସି-ସେକ୍ସନ ଡେଲିଭରି ୫୩.୭%ରୁ ୭୦.୭%କୁ ବୃଦ୍ଧି ପାଇଛି। ଅଧ୍ୟୟନରୁ ଅଧିକ ହାର ପ୍ରକାଶ ପାଇଥିବାରୁ ସରକାର ସି-ସେକ୍ସନ ଅଡିଟ୍ ବ୍ୟବସ୍ଥାକୁ ସମସ୍ତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ପୂର୍ବରୁ ସରକାର କେବଳ ସି-ସେକ୍ସନ ଡେଲିଭରିର ଅଡିଟ୍ କରୁଥିଲେ, ଯାହା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କରାଯାଉଥିଲା। ଏବେ କିନ୍ତୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସମସ୍ତ ୩୦ଟି ଜିଲ୍ଲା ଓ ନଗରାଞ୍ଚଳରେ ଥିବା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସେମାନଙ୍କ ଅଧୀନରେ ଆସୁଥିବା ଡାକ୍ତରଖାନାଗୁଡ଼ିକର ଅଡିଟ୍ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେ ୧ ତାରିଖରୁ ଏହି କାମ ଆରମ୍ଭ ହେବ ଏବଂ ଅଡିଟ୍ ପାଇଁ ସିଡିଏମ୍ଓ ଓ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଧିକାରୀଙ୍କୁ ଚୟନ କରାଯିବ।
ଅଡିଟ୍ କରିବା ପାଇଁ ଜଣେ ବରିଷ୍ଠ ଡାକ୍ତର ହସ୍ପିଟାଲକୁ ଯାଇ ପ୍ରତ୍ୟେକ ସି-ସେକ୍ସନ ମାମଲାର ରିପୋର୍ଟ ନେବେ। ଅପରେସନ୍ କରୁଥିବା ଡାକ୍ତରଙ୍କୁ ସି-ସେକ୍ସନ ଡେଲିଭରିର କାରଣ ଦେବାକୁ ପଡ଼ିବ। ଘରୋଇ ହସ୍ପିଟାଲଗୁଡ଼ିକୁ ସେହି ଅନୁସାରେ ନୂଆ ନିୟମ ବିଷୟରେ ଅବଗତ କରାଯିବ, ଏବଂ ପ୍ରତି ମାସରେ ହସ୍ପିଟାଲରୁ ରିପୋର୍ଟ ମିଳିବ।