ଆସନ୍ତା ସପ୍ତାହରେ ବାତ୍ୟା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ସମ୍ଭାବନା ଥିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଅନ୍ୟପକ୍ଷେ ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ ନିକୋଲସ ସୋମବାର ଏକ ଟୁଇଟ କରି ବାତ୍ୟା ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ସପ୍ତାହ ସୁଦ୍ଧା ପୂର୍ବ ଭାରତରେ ଏହାର ପ୍ରଭାବ ଦେଖାଇବ ବୋଲି ସେ ଅନୁମାନ କରିଛନ୍ତି।
ଚଳିତ ସପ୍ତାହର ଶେଷ କିମ୍ବା ଆସନ୍ତା ସପ୍ତାହର ଆରମ୍ଭରେ ଏହି ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ । ଏହାର ପ୍ରଭାବ ଭାରତ, ବାଂଲାଦେଶ ଏବଂ ମିଆଁମାରରେ ଦେଖିବାକୁ ମିଳିବ ବୋଲି ସେ ଆକଳନ କରିଛନ୍ତି। ଅନ୍ୟପକ୍ଷେ ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ମେ’ ୫ ତାରିଖ ପରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଥିଲେ। ଏହା ଅଧିକ ଘନୀଭୁତ ହୋଇପାରେ ବୋଲି ସେ ଆକଳନ କରିଥିଲେ । ତେବେ ଏତେ ଶୀଘ୍ର ଏହା ଉପରେ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ।
ଇତି ମଧ୍ୟରେ ଆଇଏମଡି ପକ୍ଷରୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି, ମେ’ ୨ ତାରିଖ ମଙ୍ଗଳବାର ସକାଳ ସାଢ ଆଠଟା ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲାରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ବାଲେଶ୍ୱର , ଭଦ୍ରକ ଏବଂ ଯାଜପୁରର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ଏହି ସମୟ ମଧ୍ୟରେ ଘୂର୍ଣ୍ଣିଝଡ ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।