୪ ମାସରେ ଜାଲ୍ ୱେବ୍ସାଇଟ୍ ମାଧ୍ୟମରେ ଠକିନେଲେ ୩୯.୧୧ କୋଟି
ଭୁବନେଶ୍ବର: ମିଛ ୱେବ୍ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର ୧୧ ଲକ୍ଷ ୯୧ ହଜାର ଟଙ୍କା ପୁଲିସ୍ ଫ୍ରିଜ୍ କରିବାକୁ ସମର୍ଥ ହୋଇଥିବା ସୂଚନା ରହିଛି।
ଇଓଡବ୍ଲୁ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଠକମାନେ ଏକ ଜାଲ୍ ୱେବସାଇଟ୍ http://www.smsmvip.com ଖୋଲି ଏହାକୁ ‘ମାରାଥନ ଡିଜିଟାଲ ହୋଲଡିଂ’ ନାମକ ଏକ ପୁଞ୍ଜିନିବେଶ ସଂସ୍ଥାର ୱେବ୍ସାଇଟ୍ ବୋଲି ଦର୍ଶାଇଥିଲେ । ଅତିକମରେ ଦିନକୁ ୧୦୦୦ ଟଙ୍କା ଓ ସର୍ବାଧିକ ୨ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରି ଅତିରିକ୍ତ ରୋଜଗାର କରନ୍ତୁ ବୋଲି ୱେବ୍ସାଇଟ୍ ତରଫରୁ ପ୍ରଲୋଭନ ଦିଆଯାଇଥିଲା।
ଆମେରିକାରେ ତିଆରି ହୋଇଥିବା ଏହି ୱେବସାଇଟ୍ ଚୀନର ହଂକଂରୁ ପରିଚାଳିତ ହେଉଥିବା ବେଳେ ଠକେଇର ଚେର ଦୁବାଇ ଯାଏ ଲମ୍ବିଛି । ଇଓଡବ୍ଲୁର ସୂଚନା ଅନୁସାରେ ଠକେଇ ପାଇଁ ବ୍ୟବହୃତ ୱେବସାଇଟରେ ମାରାଥନ୍ ଡିଜିଟାଲ୍ ହୋଲ୍ଡିଂ ନାଁରେ ଆକାଉଣ୍ଟ ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଉ ଯାଉଥିଲା । ଯେଉଁଥିରେ ଦୈନିକ ୧ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ନିବେଶ କଲେ ହଜାରେ ଟଙ୍କାରେ ୧୫୦୦ ଟଙ୍କା ଅଧିକ ଫେରସ୍ତ ମିଳିବ ବୋଲି ଉଲ୍ଲେଖ ରହିଛି ।
ଜମାକାରୀଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଅର୍ଥ ଜମା ପରେ ୱେବସାଇଟରେ ବିଭିନ୍ନ ପ୍ରକାପ ଟାସ୍କ କରିବାକୁ ଦିଆଯାଏ । ଟାସ୍କ ଶେଷ କରିବା ପରେ ଟେଲିଗ୍ରାମରେ ସ୍କ୍ରିନସଟ୍ ସେୟାର କରନ୍ତି ଜମାକାରୀ । ଏହା ପରେ ଜମାକାରୀଙ୍କୁ ଆଉ ଗୋଟିଏ ଟାସ୍କ ଦିଆଯାଇଥାଏ । ପ୍ରତିଟି ଟାସ୍କରେ ସର୍ବନିମ୍ନ ୧ ହଜାର ଟଙ୍କା ଜମା କରିବାକୁ ପଡ଼େ । ଆଉ ପେମେଣ୍ଟ କେବଳ ୟୁପିଆଇ ଆଇଡିରେ ନିଆ ଯାଉଥିବା ବେଳେ କିଛି ମିନିଟରେ ୟୁପିଆଇ ଆଇଡି ବଦଳି ଯାଏ ।
ତଦନ୍ତ ବେଳେ ଅର୍ଥନୈତିକ ଅପରାଧ ଶାଖା ଜାଣିବାକୁ ପାଇଛି, ଏକାଧିକ ସେଲ୍ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଛି ଉକ୍ତ ୟୁପିଆଇ ଆଇଡି । ଏଭଳି ୧୧ଟି ଆକାଉଣ୍ଟରେ ଟଙ୍କା ଜମା ହେଉଥିବା ବେଳେ ସେଠାରୁ ଟଙ୍କାକୁ ଏକ ଘରୋଇ ବ୍ୟାଙ୍କର ୩ଟି ଆକାଉଣ୍ଟରେ ଜମା କରାଯାଉଥିଲା । ୩ରୁ ୪ ମାସ ମଧ୍ୟରେ ପ୍ରାୟ ୩୯.୧୧ କୋଟିର ନେଣଦେଣ ହୋଇଥିବା ବେଳେ ଏବେ ଜମା ଥିବା ୧୧.୯୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି ଇଓଡବ୍ଲୁ ।
ତେବେ ଦୁବାଇରେ ଏହି ଆକାଉଣ୍ଟରୁ ୪୧.୨୬ ଲକ୍ଷ ଟଙ୍କା ଉଠାଯାଇଛି । ଏବେ ବି ଏହି ୱେବସାଇଟ୍ ସକ୍ରିୟ ଥିବା ବେଳେ ଏଥିରେ ସାରା ଦେଶରୁ ପ୍ରାୟ ୩୭୦୦ ନିବେଶକ ଟଙ୍କା ଜମା କରି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।
ଏଭଳି ଠକେଇରୁ ରକ୍ଷା ପାଇବା ଲାଗି ଅର୍ଥନୈତିକ ଅପରାଧ ଶାଖା ଆଡଭାଇଜରି ଜାରି କରିଛି । ହ୍ୱାଟ୍ସଆପରେ ଆସୁଥିବା ଅତିରିକ୍ତ ରୋଜଗାର ମେସେଜକୁ ସେୟାର କରିବେ ନାହିଁ । ବିଶେଷ କରି ଦେଶ ବାହାର ନମ୍ବରକୁ ଗୁରୁତ୍ୱ ଦେବେନି । ହ୍ୱାଟ୍ସଆପ୍ ଓ ଟେଲିଗ୍ରାମରେ ଆସୁଥିବା ପ୍ରତିଟି ମେସେଜ୍ ସତ ନୁହେଁ ।
ଏଭଳି ୱେବସାଇଟରେ ଟଙ୍କା ଦେଣନେଣ ପୂର୍ବରୁ ସତର୍କ ରୁହନ୍ତୁ । ୟୁପିଆଇ ଆଇଡିରେ ଟଙ୍କା ଦେବା ବେଳେ କମ୍ପାନୀର ନାଁ ଯାଞ୍ଚ କରନ୍ତୁ । ଅନେକ ୱେବସାଇଟ୍ ଓ କମ୍ପାନୀ ବିଶ୍ୱାସ ଜିତିବା ଲାଗି ୨ରୁ ୩ ମାସ କମିଶନ ଟଙ୍କା ଦେବା ପରେ ଟଙ୍କା ଉଠାଣ ବନ୍ଦ କରି ଦେଇଥାନ୍ତି ।