ମାଡ଼ି ଆସୁଛି ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ମୋଚା’

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏପରିକି ଏହା ଅବପାତର ରୂପ ନେଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ । ବିଦେଶୀ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଯେ ୧୧ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।

ତେବେ ଏ ସମ୍ପର୍କରେ ସୋଆର ସିଇସି ନିର୍ଦ୍ଦେଶକ ଡ.ଶରତ ସାହୁ କହିଛନ୍ତି ଯେ, ଆସନ୍ତା ୭ କିମ୍ବା ୮ତାରିଖ ମଧ୍ୟରେ ଏ ସମ୍ପର୍କରେ ଅଧିକ ଚିତ୍ର ସ୍ପଷ୍ଟ ହେବ । ୭ କିମ୍ବା ୮ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବା ପରେ ଅବପାତରେ ପରିଣତ ହେବ । ପରେ ବାତ୍ୟାର ରୂପ ନେବ । ସମ୍ଭବତ ୧୩ କିମ୍ବା ୧୪ରେ ବାତ୍ୟା ଉଗ୍ରରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି ।

ଅପରପକ୍ଷେ ଆସନ୍ତା ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି । ଆମେରିକାନ୍ ଜିଏଫ୍‌ଏସ୍ ମଡେଲ ଆକଳନ କରିଛି । । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମାସ ଦ୍ୱିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ । ଯଦି ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ଏହାର ନାଁ ରହିବ ମୋଚା । ଯାହାର ନାମକରଣ କରିଛି ୟେମେନ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିବା ବେଳେ ଗ୍ରୀଷ୍ମ ଋତୁର ଗତି ଜଟିଳ ହୋଇଥିବାରୁ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ।

୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା। ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।

ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦେଶ ଦେଇଥିଲେ।

Related Articles

Back to top button