ଆଇଏଏସ୍‌ ଅଫିସର୍‌ ଛବି ରଞ୍ଜନଙ୍କୁ ଗିରଫ କଲା ଇଡି

ରାଞ୍ଚି: ଜାଲିଆତି କରି ରାଞ୍ଚିରେ ବିପୁଳ ପରିମାଣର ଘରୋଇ ଓ ସରକାରୀ ଜମି ଅକ୍ତିଆର କରିବା ଲାଗି ଜମି ମାଫିଆଙ୍କ ସହିତ ମିଶି ଷଡ଼ଯନ୍ତ୍ର କରିଥିବା ଝାଡ଼ଖଣ୍ଡ ‘ଆଇଏଏସ୍‌’ ଅଫିସର୍‌ ଛବି ରଞ୍ଜନଙ୍କୁ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ମାଫିଆମାନଙ୍କୁ ସାହାଯ୍ୟ କରିବା ଲାଗି ସେ ଉଦ୍ଦେଶ୍ୟମୂଳକ ଭାବେ ଗୁଡ଼ାଏ ଜମିର ମାଲିକାନା ଓ କିସମ ପରିବର୍ତ୍ତନ କରିଥିଲେ। ସେ ସଂକ୍ରାନ୍ତରେ ତାଙ୍କୁ ଜେରା କରାଯାଇଛି।

ଏହି ମାମଲାର ତଦନ୍ତକାରୀ ଅଧିକାରୀମାନେ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ (ପିଏମ୍‌ଏଲ୍‌ଏ) ବ୍ୟବସ୍ଥା ଅନୁଯାୟୀ ‘ଆଇଏଏସ୍‌’ ଅଫିସର୍‌ ଛବି ରଞ୍ଜନଙ୍କ ବୟାନ ରେକର୍ଡ କରିଛନ୍ତି। ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ। ତା’ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ରିମାଣ୍ଡ୍‌ରେ ନେବାକୁ ଆବେଦନ କରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଛବି ରଞ୍ଜନ ସମ୍ପ୍ରତି ରାଜ୍ୟର ସାମାଜିକ କଲ୍ୟାଣ ବିଭାଗର ନିର୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦.୪୫ରେ ସେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ୧୦ ଘଣ୍ଟା ଜେରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ଏପ୍ରିଲ୍‌ ୨୪ ତାରିଖରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଛବିଙ୍କୁ ଏହି ମାମଲାରେ ୧୦ ଘଣ୍ଟା ଜେରା କରିଥିଲା।

ଗୁରୁବାର ଦିନ ରଞ୍ଜନଙ୍କ ପତ୍ନୀ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ। ଛବିଙ୍କ ଓକିଲ ଅଭିଷେକକୃଷ୍ଣ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି, ଛବିଙ୍କ ଗିରଫଦାରି କାରଣ ବିଷୟରେ ମୁଁ କ‌ୌଣସି ସୂଚନା ପାଇନାହିଁ।

‘ପିଏମ୍‌ଏଲ୍‌ଏ’ ବଳରେ ଗିରଫ ହେବାରେ ଛବି ରଞ୍ଜନ ହେଉଛନ୍ତି ଦ୍ବିତୀୟ ‘ଆଇଏଏସ୍‌’ ଅଫିସର୍‌। ଗତବର୍ଷ ୨୦୦୦ ବ୍ୟାଚ୍‌ର ‘ଆଇଏଏସ୍‌’ ଅଫିସର୍‌ ପୂଜା ସିଙ୍ଘାଲ୍‌ଙ୍କୁ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଗିରଫ କରାଯାଇଥିଲା।

Related Articles

Back to top button