ବିଶ୍ୱର ସବୁଠାରୁ ସମୟାନୁବର୍ତ୍ତୀ ବିମାନବନ୍ଦର ମାନ୍ୟତା ପାଇଲା ହାଇଦ୍ରାବାଦର ଜିଏମଆର ଅନ୍ତର୍ଜାତୀୟ ବିମାନବନ୍ଦର

ହାଇଦ୍ରାବାଦ: ବିମାନ ଚଳାଚଳ ବିଶ୍ଳେଷଣ ସଂସ୍ଥା ସିରିୟମ ଦ୍ୱାରା ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩ ମାର୍ଚ୍ଚରେ ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରର ଅନ-ଟାଇମ୍‌ ପ୍ରଦର୍ଶନ (ଓଟିପି) ୯୦.୪୩ ପ୍ରତିଶତ ଥିଲା। ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦ ବିମାନ ବନ୍ଦର ହେଉଛି ବିଶ୍ୱର ଏକମାତ୍ର ବିମାନବନ୍ଦର ଯାହା ଅନ୍‌-ଟାଇମ୍‌ ପ୍ରଦର୍ଶନ (ଓଟିପି) କ୍ଷେତ୍ରରେ ୯୦ ପ୍ରତିଶତରେ ପହଞ୍ଚି ପାରିଛି।

ମାର୍ଚ୍ଚ ମାସରେ ସିରିୟମ୍‌ ବିଶ୍ୱ ସ୍ତରରେ ପାଖାପାଖି ୫ନିୟୁତ ବିମାନ ଉଡ଼ାଣ ଆକଳନ କରିଥିଲା ଏବଂ ହାଇଦ୍ରାବାଦ ବିମାନବନ୍ଦର ଉଭୟ ‘ଗ୍ଲୋବାଲ୍‌ ଏୟାରପୋର୍ଟ’ ଏବଂ ‘ଲାର୍ଜ ଏୟାରପୋର୍ଟ’ (ବଡ଼ ବିମାନବନ୍ଦର) ବର୍ଗରେ ପ୍ରଥମ ସ୍ଥାନରେ ରହିଥିଲା।

ନଭେମ୍ବର ୨୦୨୨ରେ ଏହି ବିମାନବନ୍ଦର ୮୮.୪୪ ପ୍ରତିଶତ ଓଟିପି ସହ ‘ବଡ଼ ବିମାନବନ୍ଦର’ ବର୍ଗରେ ଚତୁର୍ଥ ସ୍ଥାନରେ ଥିଲା। ବିମାନବନ୍ଦରକୁ ଏହାର ବାସ୍ତବ ଗେଟ୍‌ ପ୍ରସ୍ଥାନ ସେବା ଆଧାରରେ ଚୟନ କରାଯାଇଥିଲା, ଯାହା ବାସ୍ତବ ପ୍ରସ୍ଥାନ ସମୟର ୮୦% ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ଏବଂ ଅତି କମରେ ତିନିଟି କ୍ଷେତ୍ରରେ ସେବା ଯୋଗାଇଥିବା ଆବଶ୍ୟକ।

ଏହି ସଫଳତା ସମ୍ପର୍କରେ ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରର ସିଇଓ ପ୍ରଦୀପ ପାନିକର କହିଛନ୍ତି, ବର୍ଷ ବର୍ଷ ଧରି ଆମେ ଆମ ବିମାନବନ୍ଦରରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ କାର୍ଯ୍ୟକାରୀ କରିଛୁ। ସର୍ବୋତ୍ତମ ପରିଚାଳନାଗତ ପଦକ୍ଷେପଗୁଡ଼ିକୁ ଉନ୍ନତ କରିଛୁ। ଏବଂ ବିମାନବନ୍ଦରର କାର୍ଯ୍ୟଦକ୍ଷତା ଅପ୍ଟଟମାଇଜ୍‌ କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିଛୁ।

ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଏହାର ପ୍ରତିଷ୍ଠା ପରଠାରୁ ଦେଶର ବିମାନବନ୍ଦର କ୍ଷେତ୍ର ପାଇଁ ଅନେକ ବୈଷୟିକ ଉଦ୍ଭାବନ ଆରମ୍ଭ କରିଛି, ଯେଉଁଥିରେ ପ୍ରଥମ ସମନ୍ଵିତ ଏବଂ କେନ୍ଦ୍ରୀକୃତ ବିମାନବନ୍ଦର ପରିଚାଳନା ନିୟନ୍ତ୍ରଣ କେନ୍ଦ୍ର (ଏଓସିସି) ଏବଂ ଅନେକ ଆଧୁନିକ ଯାତ୍ରୀ ସୂଚନା ପ୍ରଣାଳୀ ଏବଂ ବୈଷୟିକ ପଦକ୍ଷେପ ଅନ୍ତର୍ଭୁକ୍ତ। ଏହି ଯାତ୍ରାରେ ମୁଁ ଆମର ଏୟାରଲାଇନ୍‌ସ ପାର୍ଟନର, ଅନ୍ୟ ଅଂଶୀଦାର ଏବଂ ଆମ ଟିମ୍‌କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଆମର ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।

Related Articles

Back to top button