ଝାରସୁଗୁଡ଼ା ଭୋଟ ଫଳାଫଳ ଦେଖିବାକୁ ଟିଭି ଯୋଗାଇ ଦେବାକୁ ଜିଦ୍ କଲା ଗୋପାଳ ଦାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜାନୁଆରୀ ମାସ ୨୯ ତାରିଖରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ଏଏସଆଇ ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲା । ତେବେ ଏହି ମାମଲାରେ ପୋଲିସ ଗୋପାଳକୁ ଗିରଫ କରିବା ସହ ଗୁଜରାଟର ଗାନ୍ଧିନଗରକୁ ନେଇ ନାର୍କୋ ଟେଷ୍ଟ କରାଇଥିଲା । ତେବେ ଏହା ମଧ୍ୟରେ ଆଜି ଝାରସୁଗୁଡ଼ା ବିଧାନସଭା ଆସନର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଜେଲରେ ଥାଇ ଝାରସୁଗୁଡ଼ା ଭୋଟ ଫଳାଫଳ ଦେଖିବାକୁ ଟିଭି ଯୋଗାଇ ଦେବାକୁ ଜିଦ୍ କରିଛି ଗୋପାଳ । ଜେଲ କର୍ତ୍ତୃପକ୍ଷ ଗୋପାଳଙ୍କୁ ଅନ୍ୟମାନଙ୍କ ସହ ଟିଭି ଦେଖିବାକୁ ଛାଡ଼ୁ ନଥିବାବେଳେ ସେ କିନ୍ତୁ ଏହି ସୁଯୋଗକୁ ଜମାକୁ ମିସ୍ କରିବାକୁ ଚାହୁଁ ନଥିବା ଜଣାପଡ଼ିଛି ।
‘ଦୀପାଳି ଝାରସୁଗୁଡ଼ାରୁ ଜିତୁ ମୁଁ ଏକଥା ଜମା ଚାହୁଁ ନାହିଁ । ଦୀପାଳି ଜିତିଲେ ମୋର ସବୁ ପରିଶ୍ରମ ବୃଥା ହୋଇଯିବ । ଝାରସୁଗୁଡ଼ାର ଲୋକମାନେ ପୁଣି ଥରେ କଷ୍ଟ ଆଉ ଯନ୍ତ୍ରଣାରେ ଛଟପଟ ହେବେ । ଦୀପାଳି ସ୍ଥାନରେ ଅନ୍ୟ କେହି ଝାରସୁଗୁଡ଼ାରେ ପ୍ରାର୍ଥୀ ହୋଇଥିଲେ ମୁଁ ସମ୍ପୂର୍ଣ୍ଣ ଭାବେ ସପୋର୍ଟ କରିଥାନ୍ତି, ମାତ୍ର ଦୀପାଳୀର ବିଜୟ ମୁଁ ଚାହୁଁନାହିଁ ।’ ଗୋଟିଏ ପଟେ ଝାରସୁଗୁଡ଼ା ଫଳାଫଳକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ରହିଥିବା ବେଳେ ଗୋପାଳ ରହିଥିବା ଜେଲରୁ ଏବେ ଏପରି କିଛି ଚର୍ଚ୍ଚା ଶୁଣିବାକୁ ମିଳିଛି । ଗୋପାଳର ଏହି ବୟାନ ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦୀପାଳିଙ୍କୁ ବିଜେଡି ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା ।