କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ ହେଲେ ସିବିଆଇର ନୂତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରବୀଣ ସୁଦଙ୍କୁ ଭାରତ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ପ୍ରବୀଣ ସୁଦ ୧୯୮୬ ବ୍ୟାଚ୍ ର ଜଣେ ଆଇପିଏସ୍ ଅଧିକାରୀ। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଦୌଡ଼ରେ ପ୍ରବୀଣ ସୁଦଙ୍କ ନାମ ଆଗରେ ଥିଲା।

ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଦ୍ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଆଦିର ରଂଜନ ଚୌଧୁରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ମନୋନୀତ ହୋଇଥିଲେ। ପରେ କମିଟି କ୍ୟାବିନେଟର ନିଯୁକ୍ତି କମିଟିକୁ ତିନୋଟି ନାମ ପଠାଇଥିଲେ, ସେଥିମଧ୍ୟରୁ ପ୍ରବୀଣ ସୁଦଙ୍କ ନାମ ଉପରେ ମୋହର ଲାଗିଛି। ଏହି ପଦବୀରେ ପ୍ରବୀଣ ସୁଦ ଦୁଇବର୍ଷ ପାଇଁ ରହିବେ।

ଖବର ଅନୁଯାୟୀ ବୈଠକରେ କର୍ଣ୍ଣାଟକ, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସିବିଆଇ ନିର୍ଦେଶକ ଥିବା ସୁବୋଧ କୁମାର ଜୈସ୍ବାଲଙ୍କ ଦୁଇବର୍ଷର କାର୍ଯ୍ୟକାଳ ମେ ୨୫ ତାରିଖରେ ଶେଷ ହେବ।

Related Articles

Back to top button