ପାରାଦୀପ ବନ୍ଦରକୁ ମିଳିଲା ‘ସାଗର ଶ୍ରେଷ୍ଠ ସମ୍ମାନ’

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦୀପ ବନ୍ଦରକୁ ଭାରତର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି ହାର ହାସଲ କରିଥିବାରୁ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ପାଇଁ ସମ୍ମାନଜନକ ‘ସାଗର ଶ୍ରେଷ୍ଠ ସମ୍ମାନ’ ପ୍ରଦାନ କରାଯାଇଛି। ବନ୍ଦର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଏହାର ସାମଗ୍ରିକ ପ୍ରଦର୍ଶନକୁ ସ୍ୱୀକୃତି ମିଳିଛି। ଶୁକ୍ରବାର କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପାରାଦୀପ ବନ୍ଦରକୁ ଏହି ସମ୍ମାନ ମିଳିଥିବା ବନ୍ଦର କର୍ତ୍ତୃପକ୍ଷ ପି. ଏଲ ହାରନାଦ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ପି. ଏଲ୍. ହରନାଦ ପାରାଦୀପ ବନ୍ଦରର ସଫଳତାକୁ ନେଇ ଗର୍ବ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଏହି ବନ୍ଦର ଦେଶର ଏକ ନମ୍ବର ବନ୍ଦର ଭାବେ ଉଭା ହୋଇଛି ଏବଂ ପଣ୍ୟ କାରବାର ବୃଦ୍ଧି ପାଇଁ ଏହି ପୁରସ୍କାର ଲାଭ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ କାର୍ଗୋ ପରିଚାଳନାରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୯.୨ ନିୟୁତ ଟନ୍ ଅଧିକ କାର୍ଗୋ ପରିଚାଳନା କରିଛି, ଯାହାକି ୧୬.୫୬% ଅଭିବୃଦ୍ଧି ହାର।

କାର୍ଗୋ ଅଭିବୃଦ୍ଧି ପାଇଁ ପୁରସ୍କୃତ ହେବା ସହିତ ପାରାଦୀପ ବନ୍ଦର ଶ୍ରେଷ୍ଠ ଉତ୍ପାଦକତା ପାଇଁ ମଧ୍ୟ ପୁରସ୍କୃତ ହୋଇଛି। ଗତ ଆର୍ଥିକ ବର୍ଷରେ ଏହି ବନ୍ଦରରେ ଜାହାଜ ପିଛା ୨୭ ହଜାର ଟନ୍ ପଣ୍ୟ କାରବାର ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାକୁ ଅତିକ୍ରମ କରି ଜାହାଜ ପିଛା ୩୧ ହଜାର ଟନ୍ ପଣ୍ୟ କାରବାର ହୋଇଛି, ଯାହାକି ଦେଶରେ ସର୍ବାଧିକ।

ଏହି ତିନୋଟି ପୁରସ୍କାର ଜିତିବାର ଶ୍ରେୟ ସମଗ୍ର ପାରାଦୀପ ବନ୍ଦର ପରିବାରର କର୍ମଚାରୀ, ଅଧିକାରୀ, ରପ୍ତାନିକାରୀ, ଆମଦାନୀକାରୀ, ପିପିପି ଅପରେଟର, ଷ୍ଟିଭେଡୋର, ସିପିଂ ଏଜେଣ୍ଟ, ଶ୍ରମିକ ସଙ୍ଗଠନକୁ ଯାଉଛି ବୋଲି ହରନାଧ କହିଛନ୍ତି। ଏହା ଏକ ସାମୁହିକ ପ୍ରୟାସ, ଏବଂ ବନ୍ଦରର ସଫଳତାରେ ସମସ୍ତଙ୍କର ଯୋଗଦାନ ରହିଛି ବୋଲି ସେ କହିଛନ୍ତି।

ଆସନ୍ତା ତିନି ବର୍ଷ ମଧ୍ୟରେ ପାରାଦୀପ ବନ୍ଦରକୁ ସମ୍ପୁର୍ଣ୍ଣ ମେକାନାଇଜ୍ କରାଯିବା ସହିତ ପ୍ରଦୂଷଣ ମୁକ୍ତ ଗ୍ରୀନ ବନ୍ଦରରେ ପରିଣତ କରାଯିବ। ସୋଲାର ଏନର୍ଜି ଉପରେ ଅଧିକ ଧ୍ୟାନ ଦିଆଯିବ ଏବଂ ବନ୍ଦରକୁ ୩ ବର୍ଷ ମଧ୍ୟରେ ୧୮ ମିଟର ଗଭୀର କରାଯାଇ ବଡ଼ ବଡ଼ ଜାହାଜ ଆସିବାର ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଏହି ମାନ୍ୟତା ପାରାଦ୍ୱୀପ ବନ୍ଦର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଓଡ଼ିଶା ପାଇଁ ଏକ ସମ୍ମାନର ବିଷୟ। ଏହି ବନ୍ଦର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଦେଶର ଅନ୍ୟତମ ଶ୍ରେଷ୍ଠ ବନ୍ଦର ହେବାର କ୍ଷମତା ପ୍ରଦର୍ଶନ କରିଛି।

 

Related Articles

Back to top button