ବଜ୍ରକାପ୍ତା ଚୋରା ଚାଲାଣ କରୁଥିବାବେଳେ ଫରେଷ୍ଟର ଗିରଫ

ବାରିପଦା: ବଜ୍ରକାପ୍ତା ଡ଼ିଲ ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି ଫରେଷ୍ଟର । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ କରିଛି ।  ବଜ୍ରକାପ୍ତା ବେପାରରେ ବନ ବିଭାଗ ଲିଙ୍କ ଥିବା ସାମ୍ନାକୁ ଆସିଛି  । କପ୍ତିପଦା ପୋଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ବଡ଼ଝାଡ଼ ଅଂଚଳରେ ଚଢ଼ାଉ କରାଯାଇଥିଲା ।   ବଜ୍ରକାପ୍ତା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ଖବର ପାଇ ପୋଲିସ ପକ୍ଷରୁ ଏହା ଚଢାଉ କରାଯାଉଥିଲା । ପୋଲିସ ସେହି ସମୟରେ ୬ ଜଣଙ୍କୁ ଅଟକାଇବା ସହିତ ଏମାନଙ୍କ ପାଖରେ ଏକ ବଜ୍ରକାପ୍ତା ଖୋଳପା ରହିଥିବା ଜାଣିବାକୁ ପାଇଥିଲା । ପୋଲିସ ଉକ୍ତ ବଜ୍ରକାପ୍ତାକୁ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି ।

ତେବେ ଏହି ଗିରଫ ୬ ଜଣଙ୍କ ମଧ୍ୟରେ ଜଣେ ଫରେଷ୍ଟର ରହିଛନ୍ତି । ଗିରଫ ଫରେଷ୍ଟର ହେଲେ ଅଯୋଧ୍ୟା ବନାଞ୍ଚଳର ଫରେଷ୍ଟର ରାମ ଚନ୍ଦ୍ର ମାରାଣ୍ଡି ।  ୫ ଲକ୍ଷ ଟଙ୍କାରେ ଏହି ବଜ୍ରକାପ୍ତା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ ପୋଲିସ ଏହି ଚଢ଼ାଉ କରିଥିଲା । ଚଢାଉ ବେଳେ ବଜ୍ରକାପ୍ତାର ସମ୍ପୂର୍ଣ୍ଣ ଖୋଳପା ପୋଲିସ ଏମାନଙ୍କ ପାଖରୁ ଜବତ କରିଥିଲା । ହେଲେ  ବଜ୍ରକାପ୍ତାର ମାଂସ ନ ଥିଲା । ଜବତ ଖୋଳପାରୁ ବଜ୍ରକାପ୍ତାଟି ୩ ରୁ ଚାରି ବର୍ଷର ହୋଇଥିବା ଅନୁମାନ କରାଯାଉଛି ।   ଖୋଳପାର ଓଜନ ପାଖାପାଖି ୨ କିଲୋ ୧୩୫ ଗ୍ରାମ ହେବ । ପୋଲିସ ଏହି ଘଟଣାକୁ କପ୍ତିପଦା ବନାଞ୍ଚଳକୁ ହସ୍ତାନ୍ତର କରିଛି ।ଏହି ଚଢ଼ାଉରେ ପୋଲିସ ୨ ଗୋଟି ବାଇକ ଏବଂ ଗୋଟିଏ ସ୍କୁଟି ଜବତ କରିଛି । ଏଥିସହିତ ସମ୍ପୃକ୍ତ ଫରେଷ୍ଟରଙ୍କ ଆଇ କାର୍ଡ ଜବତ କରିବା ସହିତ ୬ ଗୋଟି ମୋବାଇଲ ମଧ୍ୟ ଜବତ ହୋଇଛି ।

 

Related Articles

Back to top button