ନାବାଳିକା ପ୍ରେମିକାଙ୍କୁ ୨୦ ଥର ଛୁରୀ ଭୁଷିବା ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା
ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l ୧୬ ବର୍ଷୀୟ ପ୍ରେମିକାଙ୍କୁ ଜଣେ ୨୦ ବର୍ଷୀୟ ଯୁବକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଯୁବକ ଜଣଙ୍କ ପ୍ରଥମେ ନାବାଳିକା ପ୍ରେମିକାଙ୍କୁ ୨୦ ଥର ଛୁରୀ ଭୁଷି ଥିଲା। ଏହାପରେ ତାଙ୍କ ମୁଣ୍ଡକୁ ବାରମ୍ବାର ଗୋଟିଏ ବଡ଼ ପଥରରେ ଛେଚି ଥିଲା। ଘଟଣା ସ୍ଥଳରେ ହିଁ ନାବାଳିକାଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ୨୦ବର୍ଷ ବୟସ୍କ ସାହିଲ ଜଣେ ଫ୍ରିଜ୍-ଏସି ମରାମତି ମେକାନିକ୍। ସାହିଲ ଏବଂ ନାବାଳିକା ପୀଡିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଥିବା ବେଳେ ଏହି ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯାଉଥିବା ବେଳେ ସାହିଲ ତାଙ୍କୁ ବାଟରେ ଅଟକାଇ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ବାରମ୍ବାର ଛୁରୀ ଭୁଷି ଚାଲିଥିଲା। ସେ ତଳେ ପଡ଼ିଯାଇଥିଲେ ମଧ୍ୟ ଯୁବକଙ୍କ ରାଗ ଥଣ୍ଡା ହୋଇ ନଥିଲା। ସେ ରାସ୍ତା କଡ଼ରେ ପଡ଼ିଥିବା ଗୋଟିଏ ବିରାଟ ପଥର ଆଣି ପାଖାପାଖି ୫ ଥର ନାବାଳିକଙ୍କୁ ଛେଚି ମାରିଥିଲେ ଅଭିଯୁକ୍ତ l କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏହି ଘଟଣା ଘଟିବା ସମୟ ରାସ୍ତାରେ ଲୋକ ଯିବା ଆସିବା କରୁଥିଲେ । ହେଲେ କାହାରି କିଛି ଫରକ ପଡ଼ୁନଥିଲା । ସମସ୍ତେ ଏହି ଘଟଣାକୁ ଦେଖି ଅଣଦେଖା କରୁଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି l ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାବାଳିକାଙ୍କୁ ପ୍ରକୃତରେ କେତେ ଥର ଛୁରୀ ମାଡ଼ କରାଯାଇଛି, ସେକଥା ଜଣାପଡ଼ିବ। କିନ୍ତୁ ପ୍ରାଥମିକ ଭାବେ ୨୦ରୁ ଅଧିକ ଥର ଛୁରୀ ଭୁଷା ଯାଇଥିବା ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇ ଯାଇଥିଲେ। ତା’କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ଉ କରିଥିଲା l ଶେଷରେ ମୁଖ୍ୟ ଅଭିଯୁକ୍ତ ସାହିଲକୁ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଗିରଫ କରିଛି ପୋଲିସ l