ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି

ପୁରୀ: ସ୍ନାନବେଦିରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀବିଗ୍ରହ । ଚତୁର୍ଦ୍ଧାମୁରତୀଙ୍କ ଆଶୁ ଆରୋଗ୍ୟ କାମନା କରି ଦଇତାପତି ସେବକମାନେ ଠାକୁରଙ୍କ ଗୁପ୍ତ ପୂଜାରେ ଲାଗିଛନ୍ତି । ମଙ୍ଗଳବାର ଠାକୁରଙ୍କ ଓଦା ବସ୍ତ୍ର ଓଲାଗି ହୋଇଥିଲା । ଗୁରୁବାର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ । ବର୍ଷ ତମାମ୍‌ ଦାରୁଦିଅଁ ଲାଗି ହୋଇଥିବା ଚନ୍ଦନ ଓ କରାଳ ଖୋଲାଯିବ । ୯ ତାରିଖ ଶୁକ୍ରବାର ଠାକୁରେ ଫୁଲୁରି ତେଲ ଲାଗି ହେବେ ।

ଶନିବାରଠାରୁ ଓଷୁଅ ଲାଗି ଆରମ୍ଭ ହେବ । ଓଷୁଅ ଲାଗି ପରେ ଠାକୁରେ ଚକାକୁ ଉଠିବେ । ସାଧାରଣ ମନୁଷ୍ୟ ଭଳି ଠାକୁରଙ୍କୁ ମଧ୍ୟ ପଥି, ପାଚନ ଓ ଔଷଧର ଆବଶ୍ୟକତା ପଡ଼ୁଛି । ସ୍ୱତନ୍ତ୍ର ପଣା “ପାଚନ ପାଣି’ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି । ଦଇତାପତିମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଣା ଭୋଗରେ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ଲୋଭ ରହିଥାଏ ।

ଏହି ଅଣସର ପଣା ସର, କର୍ପୂର ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ହୋଇଥାଏ । ଅନବସରରେ ପ୍ରତି ଦିନ ଶ୍ରୀବିଗ୍ରହଙ୍କୁ ଦୁଇଥର ପଣା ଓ ଚକଟା ଭୋଗ ଅର୍ପଣ କରାଯାଉଛି । ଭୋଗରେ ଠାକୁରଙ୍କୁ କେବଳ ସର ଓ ଫଳମୂଳ ଆଦି ଲାଗି କରାଯାଉଛି । ସ୍ନାନପୂର୍ଣ୍ଣିମା ବିଳମ୍ବିତ ରାତିରେ ପ୍ରଭୁ ଅଣସର ପିଣ୍ଡିରେ ବିରାଜମାନ କରିବା ପରେ ଏଭଳି ଉପଚାର ଚାଲିଛି । ଠାକୁରଙ୍କ ଅନବସର ସମୟରେ ଶ୍ରୀମନ୍ଦିର ତଥା ବଡ଼ଦାଣ୍ଡରେ ଆଗଭଳି କୋଳାହଳ ନାହିଁ । ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କୁ ଦର୍ଶନ କରି ରଥଯାତ୍ରାକାଳୀନ ବୃତାନ୍ତ ଶୁଣୁଛନ୍ତି । ଆନନ୍ଦବଜାରରେ ମଧ୍ୟ ଭକ୍ତଙ୍କ ସେଭଳି ଭିଡ଼ ନାହିଁ ।

ପଟିଦିଅଁଙ୍କ ସମେତ ଦଶଅବତାରଙ୍କୁ ଅନ୍ନ ବ୍ୟଞ୍ଜନ ଭୋଗ ଲାଗୁଛି । ହେଲେ ଆଗଭଳି ଅଧିକ ପରିମାଣର ଅନ୍ନ ପ୍ରସାଦ ହେଉନାହିଁ । ପାଶ୍ୱର୍ ଦେବଦେବୀଙ୍କ ମନ୍ଦିରରେ ଯଥାବିଧି ପୂଜାର୍ଚ୍ଚନା ଚାଲିଛି । କିନ୍ତୁ ସେଭଳି ଗହଳଚହଳ ନାହିଁ । ଅଳ୍ପ ଆଲୁଅ ଓ କୋଳାହଳ ଶୂନ୍ୟ ଶ୍ରୀମନ୍ଦିର । ଘରେ କେହି ରୋଗରେ ପଡ଼ିଲେ ଯେଭଳି ସ୍ଥିତି ଥାଏ ଶ୍ରୀମନ୍ଦିରରେ ବର୍ତ୍ତମାନ ସେହିଭଳି ନିରବତା । ଦର୍ଶନ ବାରଣ ରହିଥିବାରୁ ସିଂହଦ୍ୱାର ଓ ବଡ଼ଦାଣ୍ଡ ମଧ୍ୟ ଖାଁ ଖାଁ ଲାଗୁଛି ।

Related Articles

Back to top button