ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରଜ ଭେଟି । ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହି ମହଙ୍ଗା ଭତ୍ତା ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦୨୩ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହ ପେନସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ୍ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢ଼େ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।