ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ
ନୂଆଦିଲ୍ଲୀ: ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ କରାଯାଇଛି । ସଉକ ଭାବେ ଡାକ ଟିକଟ ସଂଗ୍ରହ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଏହି ଛାତ୍ର ବୃତ୍ତି ଯୋଜନା ଆରମ୍ଭ କରାଯାଇଛି । ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଓ ବାର୍ଷିକ ୬ହଜାର ଟଙ୍କା ଦିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଭଲ ରେକର୍ଡ ରହିଥିବ ଏବଂ ସେ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଆବଶ୍ୟକ । ଦୁଇ ସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ପ୍ରଥମ ସ୍ତରରେ ଡାକ ଟିକଟ ସଂଗ୍ରହ ଲିଖିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ଦ୍ବିତୀୟସ୍ତରରେ ଫିଲାଟେଲୀ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଚୟନ କରାଯିବ ।