ରିଲେ ରୁମରେ ତ୍ରୁଟି ପାଇଁ ଘଟିଥିଲା ବାହାନଗା ଟ୍ରେନ୍ ଟ୍ରାଜେଡି

ରିଲେ ରୁମରେ ତ୍ରୁଟି ପାଇଁ ଘଟିଥିଲା ବାହାନଗା ଟ୍ରେନ୍ ଟ୍ରାଜେଡି | ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଏହା ଜଣା ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଶେଷ କରି ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏତେବଡ଼ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ସିବିଆଇ ତଦନ୍ତ ଚାଲିଥିବାରୁ କାଳେ ଏହା ତଦନ୍ତକୁ ପ୍ରଭାବିତ କରିବ, ସେଥିପାଇଁ ରେଲୱେ ପକ୍ଷରୁ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। କେବଳ ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ସୂଚନା ମିଳିଛି । ସେପଟେ ଟ୍ରେନ୍ ଟ୍ରାଜେଡି ଦୁର୍ଘଟଣା ଘଟଣାରେ ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ସମିତି ଅନୁମତି ଦେଇଛି । ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା । ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଅନ୍ୟ ଟ୍ରାକରେ ଆସୁଥିବା ଯଶୱନ୍ତପୁର ହାୱଡ଼ା ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ। କାଲିକି ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୂରିବ |

Related Articles

Back to top button